
ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ ଅବସରରେ ସାରା ଦେଶରେ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ। ମନ୍ଦିରଗୁଡ଼ିକରେ ହେବ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଭକ୍ତିମୟ କାର୍ଯ୍ୟକ୍ରମ। ସକାଳୁ ସକାଳୁ ମନ୍ଦିରମାନଙ୍କରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଆରାଧ୍ୟ ଦେବଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ଲାଗିଥିବାବେଳେ ହରେ କୃଷ୍ଣ ମହାମନ୍ତ୍ର ଓ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି। ମନ୍ଦିରଗୁଡ଼ିକୁ ଆକର୍ଷଣୀୟ ଆଲୋକମାଳା ଏବଂ ସୁଗନ୍ଧିତ ଫୁଲରେ ଭବ୍ୟ ଭାବରେ ସଜାଯାଇଛି, ଯାହା ପର୍ବର ଶୋଭାକୁ ଦ୍ୱିଗୁଣିତ କରୁଛି।
ପୌରାଣିକ କଥା ଅନୁସାରେ, ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଧରାବତରଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ। ମଥୁରା ନଗରୀର ରାଜା କଂସର ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଦିନେ ଦୈବବାଣୀ ହେଲା ଯେ, ଭଉଣୀ ଦେବକୀର ଅଷ୍ଟମ ସନ୍ତାନ କଂସର ବଧ କରିବ । ଏହାପରେ ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ କଂସ କାରାଗାରରେ ବନ୍ଦୀ କରି ରଖିଲା । କଂସ ଦେଵକୀଙ୍କର ପ୍ରଥମ ଛଅଟି ସନ୍ତାନଙ୍କ ହତ୍ୟା କରିଥିଲା ।
ଅନ୍ୟ ସନ୍ତାନ ଜଣକ ଉଭେଇ ଗଲେ। ଧର୍ମର ରକ୍ଷା ପାଇଁ ଅଧର୍ମର ବିନାଶ ପାଇଁ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟ ରାତ୍ରିରେ ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଗୋଲକବିହାରୀ । ଅତ୍ୟାଚାରୀ ମାମୁଁ କଂସର ଭୟରେ ପିତା ବସୁଦେବ ନବଜାତ ଶିଶୁକୁ ନିଜ ବନ୍ଧୁ ଗୋପପୁରର ନନ୍ଦ-ଯଶୋଦାଙ୍କ ପାଖରେ ଛାଡ଼ି ଦେଇ ଆସିଥିଲେ । ଗୋପପୁରର ରାଜା ନନ୍ଦବାବା ଓ ରାଣୀ ଯଶୋଦା ମାତା ଶ୍ରୀକୃଷ୍ଣଙ୍କୁ ପାଇ ଖୁସିରେ ବିଭୋର ହୋଇଯାଇଥିଲେ । ଆଉ ସେହି ଦିନରୁ ଜନ୍ମାଷ୍ଟମୀ ପର୍ବ ମହାଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି। ଏହି ତିଥିର ରାତ୍ରିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପ କଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂର ହୋଇଥାଏ । ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ । ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ ।
ଶ୍ରୀମନ୍ଦିରରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ, ପାଳନ ହୋଇଥାଏ ଶ୍ରୀକୃଷ୍ଣଙ୍କ ଜନ୍ମନୀତି। ପରମ୍ପରା ଅନୁଯାୟୀ, ସନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ କଟାଯାଇ କୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । କୃଷ୍ଣ ଜନ୍ମ ପରେ ସର, ଲବଣି ଭୋଗ କରାଯାଇଥାଏ। ତା’ ସହ ରାମକୃଷ୍ଣ ଓ ମଦନମୋହନଙ୍କୁ ଜଗମୋହନରେ ଥିବା ଦୋଳିରେ ଝୁଲାଇଥାନ୍ତି।
ଉତ୍ତର ଭାରତର ବ୍ରଜ ମଣ୍ଡଳର ଏହା ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଧାର୍ମିକ ଉତ୍ସବ। କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ଏବଂ ସେ ବଢ଼ିଥିବା ସ୍ଥାନ ବୃନ୍ଦାବନରେ ଏହି ଦିନରେ ପ୍ରବଳ ଜନସମାଗମ ହୁଏ। ଏହି ଉପଲକ୍ଷେ କୃଷ୍ଣଲୀଳା ଅନୁଷ୍ଠିତ ହୁଏ। ମହାରାଷ୍ଟ୍ରରେ ଏହି ପର୍ବ ଅବସରରେ ‘ଦହି ହାଣ୍ଡି’ ଭଙ୍ଗାଯାଏ। ଓଡ଼ିଶାରେ ପୁରପଲ୍ଲୀରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ କରାଯାଏ ।





