
ନୂଆଦିଲ୍ଲୀ: କେହି କିଛି ବୁଝିବା ଆଗରୁ ଅଚାନକ ଭୟଙ୍କର ବିସ୍ଫୋରଣ! ମୁହୂର୍ତ୍ତକରେ ଛାରଖାର ହୋଇଗଲା ସବୁକିଛି, ଚାଲିଗଲା ଅନେକ ନିରୀହ ଜୀବନ। ଘଟଣାକୁ ନେଇ ଖେଳିଗଲା ଶୋକର ଛାୟା। ବଲିଭିଆର ପଶ୍ଚିମାଞ୍ଚଳ ସହର ଭିଆଚାରେ ଥିବା ଏକ ସାମରିକ ଘାଟିରେ ଭୟଙ୍କର ବିସ୍ଫୋରଣ ଘଟିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ଏହି ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସଂଖ୍ୟା ବଢିବା ଆଶଙ୍କା କରାଯାଉଥିବାବେଳେ ପ୍ରାରମ୍ଭିକ ସୂଚନା ଅନୁସାରେ ଅତି କମରେ ୬୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଅଧିକାଂଶ ସାଧାରଣ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣର କାରଣ ଜଣାପଡିନାହିଁ । ଲୋକଙ୍କ ଜୀବନ ଯିବା ସହିତ ଆଖପାଖ ଘର ବି କ୍ଷତିଗ୍ରସ୍ତ ହୋଇଛି ।
ରାଜଧାନୀ ଲା ପାଜ୍ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଭିଆଚା ସହରର ଏହି ସାମରିକ କମ୍ପ୍ଲେକ୍ସରେ ଶୁକ୍ରବାର ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୨ଟା ୩୦ରେ ବିସ୍ଫୋରଣ ଘଟିଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଜଡ଼ିତ ଆତସବାଜି ଓ ପାଇରୋଟେକ୍ନିକ୍ ସାମଗ୍ରୀ ରଖାଯାଇଥିବା ଏକ ସ୍ଥାନରୁ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏବଂ ତଦନ୍ତ ଜାରି ରହିଛି । ବଲିଭିଆର ପ୍ରତିରକ୍ଷା ମନ୍ତ୍ରୀ ଏର୍ନେଷ୍ଟୋ ଜଷ୍ଟିନିଆନୋଙ୍କ ସୂଚନା ଅନୁସାରେ, ଆହତଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ। ଅନେକ ଆହତଙ୍କୁ ଚିକିତ୍ସା ପାଇଁ ଲା ପାଜ୍ର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ନିକଟବର୍ତ୍ତୀ ଅନେକ ଘରର ଝରକା କାଚ ଭାଙ୍ଗିଯାଇଥିବା ସହ ଅନ୍ୟାନ୍ୟ କ୍ଷୟକ୍ଷତି ମଧ୍ୟ ଘଟିଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ଚିକିତ୍ସା ଦଳ ଓ ପୋଲିସ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଚଳାଇଛନ୍ତି। ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସ୍ଥାନୀୟ ଲୋକଙ୍କୁ ଘଟଣାସ୍ଥଳଠାରୁ ଦୂରେଇ ରହିବାକୁ ସତର୍କ କରାଯାଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରୀତା ନେବରାସ୍କା କହିଛନ୍ତି ଯେ, ଅଗ୍ନିଶମ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି ଘଟଣାସ୍ଥଳରେ ଏକ ଉତ୍ତାପ ଅଛି, ଯାହା ଆଉ ଏକ ବିସ୍ଫୋରଣର କାରଣ ହୋଇପାରେ । ଅତିକମରେ ୧୫୦ ମିଟର ଦୂରତା ବଜାୟ ରଖିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।
କହି ରଖୁଛି କି, ଗତକାଲି ଦକ୍ଷିଣ ନାଇଜେରିଆର ରିଭର୍ସ ରାଜ୍ୟରେ ପଇପ୍ ଲାଇନରୁ ଅଶୋଧିତ ତୈଳ ଚୋରି କରୁଥିବା ବେଳେ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ଜଣ ପ୍ରାଣ ହରାଇଥିଲେ । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ରିଭର୍ସ ରାଜ୍ୟର ଓକ୍ରିକା ଅଞ୍ଚଳରେ ଥିବା ପାଇପ୍ ଲାଇନରୁ ବେଆଇନ ଭାବେ ୫୦ରୁ ଅଧିକ ଲୋକ ତେଲ ଚୋରି କରୁଥିଲେ । ଅଶୋଧିତ ତୈଳ ସଂଗ୍ରହ କରି ନିଜ ବୋଟରେ ରଖିଥିଲେ ।





