
ପୁରୀ : ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଗତକାଲି ମଧ୍ୟରାତ୍ରିରେ ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିଥିଲେ। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ସମସ୍ତ ମଠ ମନ୍ଦିର । ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଧରାବତାରଣ ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନନ୍ଦୋତ୍ସବ ନୀତି । ସନ୍ଧ୍ୟାଆଳତୀ ସରିବାପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ। ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇବେ । ପରେ ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଓଲ୍ହାଇ ଆଣି ଖଟ ଉପରେ ବିଜେ କରାଇବେ । ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି
ସେହିପରି ଆଜି ନନ୍ଦୋତ୍ସବ ପାଇଁ ଉତ୍ସବମୁଖର ସାରା ଦେଶ । ଝଲସୁଛି ମଥୁରା, ବୃନ୍ଦାବନ। ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। କେବଳ ମଥୁରା ବୃନ୍ଦାବନ ନୁହେଁ, ଦ୍ୱାରକା, ସବୁଠି ପ୍ରବଳ ଭିଡ଼ । କୃଷ୍ଣଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ଭକ୍ତଙ୍କ ଗହଳି । ଭଜନ-କୀର୍ତ୍ତନ ଓ କୃଷ୍ଣ ନାମରେ ଭକ୍ତିମୟ ହୋଇଉଠିଛି ପରିବେଶ । ଅନେକ ଭକ୍ତ ଆଜି ଉପବାସ କରି ବ୍ରତ ପାଳନ କରିଥାନ୍ତି । କେବଳ ମନ୍ଦିର ନୁହେଁ, ଘରେ ଘରେ ବାଳଗୋପାଳଙ୍କୁ ସଜାଇ ମାଖନ, ମିଶ୍ରି, କ୍ଷୀର, ଦହି ଓ ବିଭିନ୍ନ ଭୋଗ ଅର୍ପଣ କରିବାର ପରମ୍ପରା ରହିଛି । ଛୋଟ ପିଲାମାନେ ରାଧା କୃଷ୍ଣ ବେଶରେ ସଜେଇ ହୋଇଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ମଥୁରାରେ ନନ୍ଦୋତ୍ସବକୁ ନେଇ ସବୁଠୁ ଅଧିକ ଉତ୍ସାହ। ଶ୍ରୀକୃଷ୍ଣ ଜନ୍ମସ୍ଥାନକୁ ଆକର୍ଷଣୀୟ ଭାବେ ସଜାଯାଇଛି।





