odisha24 Live

Latest News

Latest News

ଭାଇଙ୍କ ମଙ୍ଗଳ ଓ ଦୀର୍ଘାୟୁ ପାଇଁ ଭଉଣୀଙ୍କ ପୂଜା

ଶ୍ରାବଣ ସରୁ ସରୁ ଭ୍ରାଦବର ପ୍ରାରମ୍ଭରେ ହିଁ ଆରମ୍ଭ ହୋଇଯାଏ ପର୍ବର ମେଳଣ। ଏହାପରଠୁ ଦୀର୍ଘ ମାସ ପର୍ଯ୍ୟନ୍ତ ଚାଲେ ପର୍ବ, ଓଷା, ବ୍ରତ, ମେଳା, ମହୋତ୍ସବ ଓ ଯାନିଯତରାର ଆସର । ଗାଁ ଗଣ୍ଡାରେ ଖେଳିଯାଏ ଉତ୍ସାହର ଲହରୀ । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଅନେକ ପର୍ବପର୍ବାଣୀ ପାଳିତ ହୋଇଥିବା ବେଳେ ଆଜି ବି ସମସ୍ତଙ୍କୁ ବାନ୍ଧି ରଖିଛି ଆମର ପାରମ୍ପରିକ ଉତ୍କଳୀୟ ପର୍ବପର୍ବାଣୀ।ଓଡ଼ିଶାର ପରମ୍ପରା ଓ ଗଣପର୍ବ ମଧ୍ୟରେ ଖୁଦୁରୁକୁଣୀ ଓଷା ଅନ୍ୟତମ। ଯାହାକୁ ଭାଲୁକୁଣି ଓଷା ମଧ୍ୟ କୁହାଯାଏ। ବିଶେଷ କରି ଅବିବାହିତ ଝିଅମାନେ ଏହି ପୂଜାକୁ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରିଥାନ୍ତି। କିନ୍ତୁ ଏହି ପୂଜା ପଛରେ ଥିବା କାହାଣୀ କ’ଣ ଏବଂ କାହିଁକି ଏହାକୁ ଖୁଦୁରୁକୁଣୀ ଓଷା କୁହାଯାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ଖୁଦୁରୁକୁଣୀ ଓଷାର ରହିଛି ବିଶେଷ ମହତ୍ତ୍ୱ!
ଏହି ଓଷାର ସମ୍ପର୍କ ମା’ ମଙ୍ଗଳାଙ୍କ ସହ ରହିଛି। କୁହାଯାଏ, ପୂର୍ବରୁ ଓଡ଼ିଶାର ଅନେକ ବ୍ୟବସାୟୀ ସମୁଦ୍ର ପଥରେ ବାଣିଜ୍ୟ କରିବାକୁ ଦୂର ଦେଶକୁ ଯାଉଥିଲେ। ସେମାନଙ୍କ ପରିବାରର ମହିଳାମାନେ ଘରେ ରହି ସେମାନଙ୍କ ଫେରିବାକୁ ଅପେକ୍ଷା କରୁଥିଲେ। ଏହି ପରମ୍ପରା ସହ ଜଡ଼ିତ ଅଛି ତାପୋଇଙ୍କ କାହାଣୀ। ତାପୋଇଙ୍କର ସାତ ଜଣ ଭାଇ ଥିଲେ। ଭାଇମାନେ ବ୍ୟବସାୟ ପାଇଁ ସମୁଦ୍ର ପାର ହୋଇ ଦୂର ଦେଶକୁ ଚାଲିଯାଇଥିଲେ। ତାପୋଇ ତାଙ୍କ ଭାଇମାନଙ୍କୁ ବହୁତ ଭଲ ପାଉଥିଲେ ଏବଂ ସେମାନେ ଶୀଘ୍ର ଘରକୁ ଫେରନ୍ତୁ ବୋଲି ମା’ ମଙ୍ଗଳାଙ୍କୁ ପ୍ରାର୍ଥନା କରିଥିଲେ। କାହାଣୀ ଅନୁସାରେ, ତପୋଇଙ୍କ ଭକ୍ତି ଓ ପ୍ରାର୍ଥନାରେ ମା’ ମଙ୍ଗଳା ପ୍ରସନ୍ନ ହୋଇଥିଲେ । ଏହି କାହାଣୀକୁ ମନେ ପକାଇ ଆଜି ମଧ୍ୟ ଝିଅମାନେ ମା’ ମଙ୍ଗଳାଙ୍କୁ ପୂଜା କରିବାର ପରମ୍ପରା ରହିଆସିଛି । ଖୁଦୁରୁକୁଣୀ ଓଷାରେ ଝିଅମାନେ ସକାଳୁ ଉଠି ଘର ଓ ପୂଜାସ୍ଥାନ ସଫା କରନ୍ତି। ମାଟିରେ ମା’ ମଙ୍ଗଳାଙ୍କ ମୂର୍ତ୍ତି ତିଆରି କରି ଫୁଲ, ଫଳ ଓ ବିଭିନ୍ନ ପୂଜା ସାମଗ୍ରୀରେ ପୂଜା କରନ୍ତି। ଏହି ଦିନ ତାପୋଇଙ୍କ କାହାଣୀ ମଧ୍ୟ ଶୁଣାଯାଏ। ତେବେ ଖୁଦୁରୁକୁଣୀ ଓଷା କେବଳ ଏକ ପୂଜା ନୁହେଁ। ଏହା ଭାଇ-ଭଉଣୀଙ୍କ ଭଲପାଇବା, ପରିବାରର ମଙ୍ଗଳ ଏବଂ ଓଡ଼ିଆ ସଂସ୍କୃତିର ଏକ ସୁନ୍ଦର ପରମ୍ପରାର ପ୍ରତୀକ। ପିଢ଼ି ପରେ ପିଢ଼ି ଏହି ପରମ୍ପରା ଆଜି ମଧ୍ୟ ଓଡ଼ିଶାର ଘରେ ଘରେ ଜୀବନ୍ତ ରହିଛି ।

Share In Social Media
Scroll to Top