odisha24 Live

Latest News

Latest News

କାହିଁକି କରାଯାଏ ବୁଦ୍ଧିବାମନ ଓଷା ! କଣ ରହିଛି ମହତ୍ୱ

ବୁଦ୍ଧି ବାମନ ଓଷା ବା ବୁଧେଇ ଓଷା ଓଡ଼ିଶାର ଏକ ପାରମ୍ପରିକ ଗଣପର୍ବ, ଯାହା ମୁଖ୍ୟତଃ ସନ୍ତାନଙ୍କ ଦୀର୍ଘାୟୁ, ସୁଖ-ସମୃଦ୍ଧି ଏବଂ ପରିବାରର କଲ୍ୟାଣ ନିମନ୍ତେ ସଧବା ନାରୀମାନଙ୍କ ଦ୍ୱାରା ପାଳନ କରାଯାଏ। ଓଡ଼ିଆ ସଂସ୍କୃତି ଅନୁସାରେ, ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପରଦିନଠାରୁ ଭାଦ୍ରବ ପୂର୍ଣ୍ଣିମା ମଧ୍ୟରେ ପଡ଼ୁଥିବା ପ୍ରତ୍ୟେକ ବୁଧବାର ଦିନ ଏହି ଓଷା ଅତି ନିଷ୍ଠାର ସହ କରାଯାଇଥାଏ।। ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ । ଏହି ଓଷାରେ ବୁଧିବାମନଙ୍କୁ ପୂଜା କରାଯାଏ । ଏଠାରେ ବୁଦ୍ଧ ବା ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା । ବାମନ କହିଲେ ଭୈରବ, ଯିଏ ସ୍ୱୟଂ ଜଗନ୍ନାଥ । ଅତଏବ ଏହି ଓଷାରେ ଆରାଧ୍ୟ ଦେବଦେବୀ ହେଲେ ଶ୍ରୀଜଗନ୍ନାଥ ଓ ବିମଳା; କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଓଷାରେ ନାରୀରୂପୀ ବୁଧ ଓ ମଙ୍ଗଳାଙ୍କୁ ପୂଜା କରାଯାଏ । କାରଣ ଏମାନେ ସୃଷ୍ଟିକର୍ତ୍ତା । ବୁଦ୍ଧିବାମନ ଓଷାର ପରମ୍ପରା ମତେ ପୂଜାସ୍ଥଳୀଟିକୁ ଗୋବରଲିପି ଶୁଚି କରାଯାଏ ।
ବୁଦ୍ଧି ବାମନ ଓଷା କରିବାର କାରଣ ଓ ଏହାର ମହତ୍ୱ
ସନ୍ତାନ ସୁରକ୍ଷା ଓ ମଙ୍ଗଳ କାମନା:- ଓଡ଼ିଶାର ମା’ମାନେ ନିଜ ସନ୍ତାନମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଜୀବନ ଏବଂ ଉନ୍ନତି ପାଇଁ ବୁଧବାର ସାରା ଦିନ ଉପବାସ ରଖି ଏହି ବ୍ରତ କରନ୍ତି ।
ଆରାଧ୍ୟ ଦେବଦେବୀଙ୍କ କୃପା:- ଲୋକବିଶ୍ୱାସ ଅନୁସାରେ, ‘ବୁଦ୍ଧି’ ବା ‘ବୁଧେଇ’ ହେଉଛନ୍ତି ମା’ ବିମଳା (ବା ମଙ୍ଗଳା) ଏବଂ ‘ବାମନ’ ହେଉଛନ୍ତି ସ୍ୱୟଂ ଶ୍ରୀଜଗନ୍ନାଥ । ସେଥିପାଇଁ ଏହି ଦିନ ଜଗନ୍ନାଥ ଓ ମା’ ବିମଳାଙ୍କୁ ପୂଜା କଲେ ସମସ୍ତ ବିପଦ ଦୂର ହୁଏ ।
ରୋଗବ୍ୟାଧିରୁ ମୁକ୍ତି:- ମାନ୍ୟତା ରହିଛି ଯେ ବୁଦ୍ଧି ବାମନଙ୍କ ପୂଜା କଲେ କୁଷ୍ଠ ରୋଗ, ଅନ୍ଧତ୍ୱ ଏବଂ ଅନ୍ୟାନ୍ୟ କଠିନ ଶାରୀରିକ ବ୍ୟାଧିରୁ ମୁକ୍ତି ମିଳିଥାଏ ।
ସନ୍ତାନ ପ୍ରାପ୍ତି: – ବିଶ୍ୱାସ ରହିଛି ଯେ “ଯଦି କୌଣସି ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ପୂଜାଘରର ଦ୍ୱାରରେ ଶାଢ଼ି ପକାଇ (ଯାହାକୁ ‘ପାହାଡ଼’ କୁହାଯାଏ) ସମସ୍ତଙ୍କ ପାଦଧୂଳି ନିଅନ୍ତି, ତେବେ ତାଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ।
ଶିଳ ଓ ଶିଳପୁଆଙ୍କ ପୂଜା: – ଶିଳ ଓ ଶିଳପୁଆକୁ ଧୋଇ ପୋଛି ହଳଦୀ କନା ଜଡ଼େଇ ଦେବାଦେବୀଙ୍କ ରୂପରେ ପୂଜା କରାଯାଏ । ସେମାନଙ୍କୁ ସିନ୍ଦୂର, କାଜଲ ଏବଂ କଉଡ଼ି ଦ୍ୱାରା ସୁସଜ୍ଜିତ କରାଯାଏ ।

Share In Social Media
Scroll to Top