odisha24 Live

Latest News

Latest News

ଆଜି ପବିତ୍ର ନନ୍ଦୋତ୍ସବ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପରଦିନ, ଭାଦ୍ରବ କୃଷ୍ଣ ନବମୀ ତିଥିରେ ପାଳିତ ହୁଏ ଆନନ୍ଦ ଓ ଉଲ୍ଲାସର ପର୍ବ ଯାହାର ନାମ ‘ନନ୍ଦ ଉତ୍ସବ’।
ପୌରାଣିକ କଥାବସ୍ତୁ ଅନୁସାରେ, ଭଗବାନ୍ ଶ୍ରୀକୃଷ୍ଣ ମଥୁରା କାରାଗାରରେ ଜନ୍ମଗ୍ରହଣ କରିବା ପରେ ବସୁଦେବ ତାଙ୍କୁ ଗୋକୁଳର ରାଜା ନନ୍ଦ ବାବା ଏବଂ ମାଆ ଯଶୋଦାଙ୍କ ପାଖରେ ସୁରକ୍ଷିତ ଭାବେ ପହଞ୍ଚାଇ ଦେଇଥିଲେ । ଯେତେବେଳେ ଗୋକୁଳରେ ନନ୍ଦ ବାବାଙ୍କୁ ପୁତ୍ରସନ୍ତାନ ଜନ୍ମ ହୋଇଥିବା କଥା ଜଣାପଡ଼ିଲା, ସେତେବେଳେ ସମଗ୍ର ବ୍ରଜଭୂମିରେ ଆନନ୍ଦର ଲହରୀ ଖେଳିଯାଇଥିଲା । ନନ୍ଦ ବାବା ଏହି ଖୁସିରେ ଗୋକୁଳବାସୀଙ୍କୁ ମୁକ୍ତହସ୍ତରେ ଦାନଧର୍ମ କରିଥିଲେ ଏବଂ ବିଭିନ୍ନ ଉପହାର ପ୍ରଦାନ କରିଥିଲେ ।
ସେହି ସ୍ମୃତିକୁ ଜାଗ୍ରତ ରଖି ପ୍ରତିବର୍ଷ ଏହି ଦିନଟିକୁ ‘ନନ୍ଦ ଉତ୍ସବ’ ଭାବେ ପାଳନ କରାଯାଏ । ଏହି ଦିନ ବ୍ରଜଭୂମି ସମେତ ବିଶ୍ୱର ବିଭିନ୍ନ କୃଷ୍ଣ ମନ୍ଦିର ଏବଂ ଘରମାନଙ୍କରେ କ୍ଷୀର, ଦହି, ମହୁ ଓ ହଳଦୀ ପାଣି ପରସ୍ପର ଉପରେ ପକାଇ ଆନନ୍ଦ ଉଲ୍ଲାସ କରାଯାଏ । ଶ୍ରୀକୃଷ୍ଣଙ୍କ ବାଳରୂପକୁ ଏକ ସୁସଜ୍ଜିତ ଝୁଲାରେ ରଖି ପୂଜାର୍ଚ୍ଚନା କରାଯାଏ ଏବଂ ଭକ୍ତମାନେ ବାଳଗୋପାଳଙ୍କୁ ଦୋଳିରେ ଝୁଲାଇବାର ସୌଭାଗ୍ୟ ଲାଭ କରନ୍ତି । ନନ୍ଦ ଉତ୍ସବ କେବଳ ଏକ ଧର୍ମୀୟ ପର୍ବ ନୁହେଁ, ବରଂ ଏହା ମନର ସମସ୍ତ ଦୁଃଖ, ଭେଦଭାବ ଭୁଲି ଏକାଠି ହୋଇ ଖୁସି ବାଣ୍ଟିବାର ଏକ ବାର୍ତ୍ତା ଦେଇଥାଏ ।

Share In Social Media
Scroll to Top