odisha24 Live

Latest News

Latest News

ପୁଣି ତେଜିଲା ମଧ୍ୟପ୍ରାଚ୍ୟ ବିବାଦ: ବାହାରିନରେ ଆମେରିକୀୟ ରାଡାର୍‌କୁ ଇରାନର ଟାର୍ଗେଟ୍

ବାହାରିନରେ ଆମେରିକାର ଏୟାର ଡିଫେନ୍ସ ରାଡାର୍ କୁ ଡ୍ରୋନ୍ ଆକ୍ରମଣ ଦାବି କଲା ଇରାନ । ୬ଟି ଡ୍ରୋନ୍ ରେ ଆକ୍ରମଣ କରିଥିବା IRGCର ଦାବି। ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିଥିବା ଘୋଷଣା । ସାଉଦି ଆରବ ଓ ୟେମେନ୍ ରେ ମଧ୍ୟ ସାମରିକ ଉତ୍ତେଜନା । ମଧ୍ୟପ୍ରାଚ୍ୟରେ ପୁଣି ବଢ଼ିଲା ସାମରିକ ଉତ୍ତେଜନା । ବାହାରିନ୍ ର ରିଫା ଏୟାର ବେସ୍ ରେ ଥିବା ଆମେରିକାର ବାୟୁ ପ୍ରତିରକ୍ଷା ରାଡାର୍ କୁ ୬ଟି ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଥିବା ଦାବି କରିଛି ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC)।

ଇରାନ ସମର୍ଥିତ ଫାର୍ସ ନ୍ୟୁଜ୍ ଏଜେନ୍ସି ଏହି ଦାବି ସମ୍ପର୍କରେ ଖବର ପ୍ରକାଶ କରିଛି। ତେବେ ରାଡାର୍ ର କ୍ଷୟକ୍ଷତି ସମ୍ପର୍କରେ ସ୍ୱାଧୀନ ପ୍ରମାଣ ମିଳିନାହିଁ । ଇରାନର ଏହି ଦାବି ପୂର୍ବରୁ ବାହାରିନ୍ ର ଗୃହ ମନ୍ତ୍ରଣାଳୟ ସମ୍ଭାବ୍ୟ ବିପଦକୁ ନେଇ ସତର୍କ ସୂଚନା ଜାରି କରିଥିଲା । ନାଗରିକ ଓ ସେଠାରେ ରହୁଥିବା ଅନ୍ୟ ଲୋକଙ୍କୁ ଶାନ୍ତ ରହିବା ସହିତ ନିକଟସ୍ଥ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଥିଲା । କେବଳ ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଅନୁସରଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଇରାନର ଏହି ନୂଆ ଆକ୍ରମଣ ଦାବି ଉପରେ ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ବା CENTCOMର ପ୍ରତିକ୍ରିୟା ତୁରନ୍ତ ମିଳିନଥିଲା ।

ତେବେ ୧୩ ତାରିଖରେ ବାହାରିନ୍ ରେ ଆମେରିକୀୟ ରାଡାର୍ ଧ୍ୱଂସ କରିଥିବା ଇରାନର ପୂର୍ବ ଦାବିକୁ CENTCOM ଖଣ୍ଡନ କରିଥିଲା । ସେତେବେଳେ ଦୁଇଟି ଇରାନୀ ଡ୍ରୋନ୍ କୁ ଖସାଇ ଦିଆଯାଇଥିବା ଏବଂ କୌଣସି କ୍ଷୟକ୍ଷତି ହୋଇନଥିବା ଆମେରିକା କହିଥିଲା ।

ଅନ୍ୟପକ୍ଷରେ ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକାକୁ ପୁଣି ଚେତାବନୀ ଦେଇଛି ଇରାନ। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ବନ୍ଦ ରହିଥିବା ଦାବି କରିଛି IRGC । ଆମେରିକା ଜାହାଜଗୁଡ଼ିକୁ ସୁରକ୍ଷା ଦେଇ ଏହି ପଥ ଦେଇ ନେବାରେ ବିଫଳ ହୋଇଥିବା ମଧ୍ୟ ଇରାନ ଅଭିଯୋଗ କରିଛି । ଆମେରିକା ପକ୍ଷରୁ ପୁଣି କୌଣସି ଆକ୍ରମଣ ହେଲେ ତାହାର ଅଧିକ କଠୋର ଜବାବ ଦିଆଯିବ ବୋଲି IRGC ଚେତାବନୀ ଦେଇଛି । ବିଶ୍ୱର ତୈଳ ଓ ପ୍ରାକୃତିକ ଗ୍ୟାସ୍ ପରିବହନ ପାଇଁ ହର୍ମୁଜ୍ ପ୍ରଣାଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଅଞ୍ଚଳରେ ସାମରିକ ଉତ୍ତେଜନା ବଢ଼ିଲେ ଅନ୍ତର୍ଜାତୀୟ ଜାହାଜ ଚଳାଚଳ, ତୈଳ ଯୋଗାଣ ଓ ଶକ୍ତି ବଜାର ଉପରେ ପ୍ରଭାବ ପଡ଼ିପାରେ। ଏହାରି ମଧ୍ୟରେ ସାଉଦି ଆରବରେ ମଧ୍ୟ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ଉଦ୍ୟମ ହୋଇଛି ।

ୟେମେନ୍ ର ହୁତି ବିଦ୍ରୋହୀଙ୍କ ବିରୋଧରେ ଲଢ଼ୁଥିବା ସାଉଦି ସମର୍ଥିତ ମେଣ୍ଟ କହିଛି ଯେ ଦେଶର ପୂର୍ବାଞ୍ଚଳରେ ତିନିଟି ଡ୍ରୋନ୍ କୁ ଖସାଇ ଦିଆଯାଇଛି । ସେହିପରି ରାଜଧାନୀ ରିୟାଦ ଅଭିମୁଖେ ଆସୁଥିବା ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ମଧ୍ୟ ଆକାଶରେ ନଷ୍ଟ କରାଯାଇଛି। ଅନ୍ୟପଟେ ହୁତି ସଂଗଠନର ସାମରିକ ମୁଖପାତ୍ର ୟାହ୍ୟା ସାରି ଦାବି କରିଛନ୍ତି ଯେ ୟେମେନ୍ ର ଅଲ୍-ଜୱଫ୍ ଆକାଶସୀମାରେ ସାଉଦି ଆରବର ଏକ ସଶସ୍ତ୍ର ଗୁପ୍ତଚର ବିମାନକୁ ଖସାଇ ଦିଆଯାଇଛି ।

ଏପଟେ ଗାଜାରେ ମଧ୍ୟ ଉତ୍ତେଜନା ଜାରି ରହିଛି । ଦକ୍ଷିଣ ଗାଜାର ଖାନ୍ ୟୁନିସ୍ ସ୍ଥିତ ଅଲ୍-ମୱାସି ଅଞ୍ଚଳରେ ଇସ୍ରାଏଲୀ ବିମାନ ଆକ୍ରମଣରେ ରାଫା ବ୍ରିଗେଡ୍ କମାଣ୍ଡର ସମୀର ଆବୁ ୟୁନିସ୍ ଙ୍କ ମୃତ୍ୟୁ ହୋଇଥିବା ହମାସ୍ ସ୍ୱୀକାର କରିଛି । ଏହା ସହିତ ଇସ୍ରାଏଲର ଆଭ୍ୟନ୍ତରୀଣ ରାଜନୀତିରେ ମଧ୍ୟ ମତଭେଦ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଜାତୀୟ ଏକତା ସରକାର ଗଠନ ପ୍ରସ୍ତାବକୁ ବିରୋଧୀ ନେତା ଗାଦି ଆଇଜେନକୋଟ୍ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାକୁ ନେତାନ୍ୟାହୁଙ୍କ ଆଉ ଏକ ରାଜନୈତିକ ଚାଲ୍ ବୋଲି ସେ କହିଛନ୍ତି ।

Share In Social Media
Scroll to Top