
ମିଆମି : ଆମେରିକାର ମିଆମି ବିମାନବନ୍ଦରରେ ଦୁଇ ବିମାନ ମଧ୍ୟରେ ଧକ୍କା । ଜାତୀୟ ସ୍ତରରେ ବିମାନ ଚଳାଚଳ ବନ୍ଦର ଦିନକ ପରେ ଅଘଟଣ । ରନୱେ କ୍ରସିଂରେ ଦୁଇ ବିମାନ ମୁହାଁମୁହିଁ, ବିମାନବନ୍ଦର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ । ଆମେରିକାର ମିଆମି ବିମାନବନ୍ଦରରେ ବିମାନ ସୁରକ୍ଷାକୁ ନେଇ ପୁଣି ଚିନ୍ତା ବଢ଼ିଛି ।
ଜାତୀୟ ସ୍ତରରେ ବିମାନ ଚଳାଚଳ ବନ୍ଦ ହେବାର ମାତ୍ର ଗୋଟିଏ ଦିନ ପରେ ମିଆମିରେ ଦୁଇଟି ବିମାନ ମଧ୍ୟରେ ଧକ୍କା ଘଟିଥିବା ଖବର ସାମ୍ନାକୁ ଆସିଛି । ବିମାନବନ୍ଦରର ରନୱେ କ୍ରସିଂ ଅଞ୍ଚଳରେ ଏହି ଘଟଣା ଘଟିଛି । ଗୋଟିଏ ବିମାନ ଅନ୍ୟ ବିମାନ ସହ ଧକ୍କା ହେବା ପରେ ବିମାନବନ୍ଦରରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ପ୍ରୋଟୋକଲକୁ ନେଇ ପ୍ରଶ୍ନ ଉଠିଛି । ବିଶେଷକରି ରନୱେ ଅତିକ୍ରମ କରିବା ସମୟରେ ବିମାନଗୁଡ଼ିକ ମଧ୍ୟରେ ଆବଶ୍ୟକ ସୁରକ୍ଷିତ ଦୂରତା ଏବଂ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ନିର୍ଦ୍ଦେଶ ପାଳନ ଉପରେ ଗୁରୁତ୍ୱ ଦିଆଯାଏ । ତେଣୁ ଏଭଳି ଘଟଣା ବିମାନ ଚଳାଚଳ ବ୍ୟବସ୍ଥାର ସୁରକ୍ଷା ଉପରେ ନୂଆ ଆଲୋଚନା ସୃଷ୍ଟି କରିଛି ।
ତେବେ ଦୁଇ ବିମାନର କ୍ଷୟକ୍ଷତି, ଯାତ୍ରୀଙ୍କ ସ୍ଥିତି ଏବଂ ଧକ୍କାର ପ୍ରକୃତ କାରଣ ସମ୍ପର୍କରେ ସବିଶେଷ ତଥ୍ୟ ସ୍ପଷ୍ଟ ହୋଇନାହିଁ । ଏଫଏଏ (Federal Aviation Administration ) ଅନୁସାରେ, ଶନିବାର ରାତି ପ୍ରାୟ ୯ଟା ୧୫ ମିନିଟରେ କୋପା ଏୟାରଲାଇନ୍ସର ବୋଇଂ ୭୩୭ ବିମାନର ଡେଣା ଅଗ୍ରଭାଗ ୟୁପିଏସ୍ ର ବୋଇଂ ୭୬୭ ମାଲବାହୀ ବିମାନର ସମ୍ମୁଖ ଭାଗରେ ବାଜିଥିଲା । କୋପା ବିମାନଟି ପାନାମା ସିଟିରୁ ଆସିଥିବା ବେଳେ ୟୁପିଏସ୍ ବିମାନଟି କଲମ୍ବିଆର ବୋଗୋଟା ଅଭିମୁଖେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା ।
ଏହି ଘଟଣାରେ ଦୁଇଜଣ ସାମାନ୍ୟ ଆହତ ହୋଇଥିଲେ । ଉଭୟଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇଥିବା ବେଳେ ଡାକ୍ତରଖାନା ନେବାକୁ ପଡ଼ିନଥିଲା । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ପକ୍ଷରୁ ୟୁପିଏସ୍ ବିମାନକୁ କୋପା ବିମାନ ପାଇଁ ରାସ୍ତା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।





