
ଯେଉଁ ସ୍ୱର ଦିନେ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ରାଜ୍ କରୁଥିଲା, ଯେଉଁ କଣ୍ଠର ଯାଦୁରେ ଝୁମୁଥିଲା ସାରା ଓଡ଼ିଶା, ଆଜି ସେହି ସ୍ୱର ନିରବି ଯିବାକୁ ପୂରିଛି ପୂରା ଗୋଟିଏ ବର୍ଷ। ଓଡ଼ିଆ ସଙ୍ଗୀତ ଜଗତର ୟଙ୍ଗ ସେନସେସନ୍ ଥିବା ହ୍ୟୁମାନ ସାଗରଙ୍କ କଥା। ଗତବର୍ଷ ଆଜିର ଦିନରେ ହ୍ୟୁମାନଙ୍କ ଅକାଳ ବିୟୋଗ ଖବର ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିଲା। ସେତେବେଳେ କେତେ କଥା ଉଠିଲା। ହ୍ୟୁମାନଙ୍କ ମୃତ୍ୟୁ କ’ଣ ସ୍ୱାଭାବିକ ମୃତ୍ୟୁ ଥିଲା, ନା ଏହା ପଛରେ ଥିବା ବଡ଼ ଷଡ଼ଯନ୍ତ୍ର ? ସତରେ କଣ ହ୍ୟୁମାନ ଷଡ଼ଯନ୍ତ୍ରର ଶିକାର ହୋଇଥିଲେ ?
ହ୍ୟୁମାନଙ୍କ ମାଆ ଆଣିଥିଲେ ସଙ୍ଗୀନ ଅଭିଯୋଗ। ଥାନାରେ ରୁଜୁ ହୋଇଥିଲା ମାମଲା। ତଦନ୍ତ ଆରମ୍ଭ ହେଲା। ଜେରା, ନୋଟିସ୍, ମେଡିକାଲ୍ ରିପୋର୍ଟ ଓ ଆର୍ଥିକ କାରବାରର ତଦନ୍ତ କଥା ବି ସାମ୍ନାକୁ ଆସିଲା।ଆଜି ମୃତ୍ୟୁକୁ ବର୍ଷେ ପୂରିଛି। କେତେ ବାଟ ଆଗେଇଛି ତଦନ୍ତ ? ଆଜି ବି ହ୍ୟୁମାନଙ୍କ ପରିବାର ଓ ଲକ୍ଷ ଲକ୍ଷ ପ୍ରଶଂସକ ଚାହିଁ ବସିଛନ୍ତି କେବେ ସାମ୍ନାକୁ ଆସିବ ସତ ? …
ହ୍ୟୁମାନ ସାଗରଙ୍କ ମାଆ ୬ ଜଣଙ୍କ ନାଁରେ ଏତଲା ଦେଇଥିଲେ। ସେମାନଙ୍କ ଭିତରେ ଥିଲା କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କ ନାଁ। ସେହିପରି ଦୁଇ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ବି ଅଭିଯୋଗ ଆଣିଥିଲେ ହ୍ୟମାନଙ୍କ ମାଆ। ଏଥିସହ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀଙ୍କ ନାଁରେ ବି ଏତଲା ହୋଇଥିଲା। ଏମାନଙ୍କ ସହ ଏତଲାରେ ବୋହୂ ଶ୍ରେୟା ମିଶ୍ରଙ୍କ ନାଁ ବି ରହିଥିଲା। ….
କଟକ ମର୍କତନଗର ଥାନାରେ ଏତଲା ଦେବା ସହ ଷଡ଼ଯନ୍ତ୍ରରୁ ଆର୍ଥିକ ଅନିୟମିତତାକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ ହ୍ୟୁମାନଙ୍କ ମାଆ ଶେଫାଳି ସୁନା। ହ୍ୟୁମାନଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର, ବିଷକ୍ରିୟା, ଶାରୀରିକ ନିର୍ଯାତନା, ମାନସିକ ନିର୍ଯାତନା, ଧମକ, ଅପରାଧିକ ଅବହେଳା କିମ୍ବା ଆର୍ଥିକ କାରଣ ରହିଛି କି ନାହିଁ, ତାହାର ତଦନ୍ତ ପାଇଁ ଦାବି କରିଥିଲେ। ଏପରିକି ମୃତ୍ୟୁ ସମ୍ପର୍କିତ ପ୍ରମାଣ ନଷ୍ଟ କିମ୍ବା ଡିଜିଟାଲ୍ ରେକର୍ଡରେ ହେରଫେର ହୋଇଛି କି ନାହିଁ, ତାହା ମଧ୍ୟ ଯାଞ୍ଚ ଦାବି କରିଥିଲେ ଶେଫାଳି ସୁନା। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଆଜି ପୁଅର ମୃତ୍ୟୁକୁ ବର୍ଷେ ପୂରିଛି, ତଦନ୍ତ କେଉଁଠି ଅଟକିଛି ତାକୁ ନେଇ ବି ଉଠିଛି ପ୍ରଶ୍ନବାଚୀ। …
ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଆଜି ବି ଅନେକ ପ୍ରଶ୍ନ କେବଳ ପ୍ରଶ୍ନବାଚୀ ହୋଇ ରହିଯାଇଛି। ହ୍ୟୁମାନଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ଥିଲା କି ? ତାଙ୍କୁ ବିଷ କିମ୍ବା ନିଶାଦ୍ରବ୍ୟ ଦିଆଯାଇଥିଲା କି ? ମାନସିକ ନିର୍ଯାତନା ଦିଆଯାଉଥିଲା କି ? ଚିକିତ୍ସା କିମ୍ବା ଯତ୍ନରେ କୌଣସି ଅବହେଳା ହୋଇଥିଲା କି ? ହ୍ୟୁମାନଙ୍କ ଆର୍ଥିକ କାରବାରରେ ଅନିୟମିତତା ଥିଲା କି ? ଡିଜିଟାଲ୍ ପ୍ରମାଣ ନଷ୍ଟ କିମ୍ବା ହେରଫେର ହୋଇଥିଲା କି ?
ଅନ୍ୟ କୌଣସି ଆର୍ଥିକ କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ ଥିଲା କି ? ଏତଲାରେ ଉଲ୍ଲେଖ ଆର୍ଥିକ ଅନିୟମିତତାର ତଦନ୍ତ କେତେ ବାଟ ଗଲା ? ହ୍ୟୁମାନଙ୍କ ମୋବାଇଲ୍ ଓ ଡିଜିଟାଲ୍ ତଥ୍ୟ ଯାଞ୍ଚରୁ କ’ଣ ମିଳିଲା ? ଏତଲାରେ ଥିବା ବ୍ୟକ୍ତି ସମସ୍ତଙ୍କୁ ପଚରାଉଚରା କରାଯାଇଛି କି ? ଗୋଟିଏ ବର୍ଷରେ ତଦନ୍ତର ନିଷ୍କର୍ସ ଆସିପାରିଲା ନାହିଁ କାହିଁକି ? ଆଜି ବି ହ୍ୟୁମାନଙ୍କ ଫ୍ୟାନ୍ ଓ ପ୍ରଶଂସକଙ୍କ ଏହାର ଉତ୍ତର ଅପେକ୍ଷାରେ ରହିଛନ୍ତି।




