
ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ CRPF ଯବାନ ଆହତ ହୋଇଛନ୍ତି। ମୀର ବଜାର ନିକଟ ଅଖରାନ ଅଞ୍ଚଳରେ ଥିବା CRPF ଚେକ୍ପୋଷ୍ଟକୁ ଟାର୍ଗେଟ୍ କରି ବାଇକ୍ରେ ଆସିଥିବା ଅଜ୍ଞାତ ଆକ୍ରମଣକାରୀମାନେ ହଠାତ୍ ଗୁଳିଚାଳନା କରିଥିଲେ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ବାଇକ୍ରେ ଆସି ଯବାନଙ୍କ ଉପରେ ଗୁଳିମାଡ଼
ଅଧିକାରୀଙ୍କ ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍ ସମୟରେ ବାଇକ୍ରେ ଆସିଥିବା ଅଜ୍ଞାତ ଆକ୍ରମଣକାରୀମାନେ ଚେକ୍ପୋଷ୍ଟରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।CRPF ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଅନନ୍ତନାଗ ଜିଲ୍ଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯବାନଙ୍କ ପରିଚୟ ରାକେଶ ଦାସ, ସନ୍ତୋଷ ଚନ୍ଦ୍ରୁ ଓ ସୋମବୀର ସିଂହ ବୋଲି ଜଣାପଡ଼ିଛି। ରାକେଶ ଦାସଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିବାବେଳେ ସନ୍ତୋଷ ଚନ୍ଦ୍ରୁଙ୍କ ପେଟ ଓ ମେରୁଦଣ୍ଡରେ ଆଘାତ ଲାଗିଛି। ସେହିପରି ସୋମବୀର ସିଂହଙ୍କ ବାମ ହାତରେ ଗୁଳି ବାଜିଛି। ତେବେ ଆଶ୍ୱସ୍ତିର କଥା ହେଉଛି, ତିନିଜଣ ଯବାନ ଏବେ ବିପଦମୁକ୍ତ ଅଛନ୍ତି।
ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଘଟଣା ପରେ ସୁରକ୍ଷାବଳ ପକ୍ଷରୁ ଅଞ୍ଚଳରେ ଅତିରିକ୍ତ ବ୍ୟାରିକେଡିଂ କରାଯାଇଛି। ବଖତରବନ୍ଦ ଗାଡ଼ି ସହ ଅତିରିକ୍ତ ଯବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି। ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ମଧ୍ୟ ଅପିଲ୍ କରାଯାଇଛି।ଆକ୍ରମଣକାରୀଙ୍କୁ ଧରିବା ପାଇଁ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି।





