
୨୦୨୫ ବର୍ଷ ପାଇଁ ଅର୍ଜୁନ ପୁରସ୍କାର ପାଇଥିବା ୧୭ ଜଣ ଖେଳାଳିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି । ନଭେମ୍ବର ୧୩ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଖେଳାଳିମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ହକି, କବାଡ଼ି, ଚେସ୍, ଆଥଲେଟିକ୍ସ, ଶୁଟିଂ ଓ ବ୍ୟାଡମିଣ୍ଟନ ଭଳି ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ସମ୍ମାନ ମିଳିଛି ।
ଏହି ପୁରସ୍କାର ତାଲିକାରେ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ମହିଳା ହକି ଖେଳାଳି ଲାଲରେମସିଆମି । ମାତ୍ର ୨୬ ବର୍ଷ ବୟସରେ ଅର୍ଜୁନ ପୁରସ୍କାର ହାସଲ କରି ସେ ଏକ ନୂଆ ଇତିହାସ ରଚିଛନ୍ତି । ଏହା ସହିତ ମିଜୋରାମର ପ୍ରଥମ ଖେଳାଳି ଭାବେ ଅର୍ଜୁନ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି । ସେହିପରି ଭାରତୀୟ ମହିଳା କବାଡ଼ି ଦଳର ଖେଳାଳି ପୂଜା କାଜଲ ମଧ୍ୟ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି । ମହିଳା କବାଡ଼ିରେ ତାଙ୍କର ଚମତ୍କାର ପ୍ରଦର୍ଶନ ଦେଶକୁ ଗର୍ବିତ କରିଛି ।
ଚେସ୍ ଜଗତର ଉଦୀୟମାନ ତାରକା ଦିବ୍ୟା ଜିତେନ୍ଦ୍ର ଦେଶମୁଖ ମଧ୍ୟ ଏହି ପୁରସ୍କାର ପାଇଛନ୍ତି । ୨୦୨୪ରେ ମାତ୍ର ୧୮ ବର୍ଷ ବୟସରେ ମହିଳା ଅଣ୍ଡର-୨୦ ବିଶ୍ୱ ଚାମ୍ପିୟନସିପ୍ ଜିତି ସେ ନିଜର ପ୍ରତିଭା ପ୍ରମାଣିତ କରିଥିଲେ । ଏହାସହ ୪୫ତମ ଚେସ୍ ଅଲିମ୍ପିଆଡ୍ରେ ୯.୫ ପଏଣ୍ଟ ହାସଲ କରି ତୃତୀୟ ବୋର୍ଡରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଭାରତକୁ ଦଳଗତ ସ୍ୱର୍ଣ୍ଣ ପଦକ ଜିତାଇବାରେ ମଧ୍ୟ ତାଙ୍କର ବଡ଼ ଭୂମିକା ରହିଥିଲା ।
ମହିଳା ପଦଯାତ୍ରା ଆଥଲେଟ୍ ପ୍ରିୟଙ୍କା ଗୋସ୍ୱାମୀଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୨୨ କମନୱେଲ୍ଥ ଗେମ୍ସରେ ୧୦ ହଜାର ମିଟର ପଦଯାତ୍ରାରେ ରୌପ୍ୟ ପଦକ ଜିତି ସେ ଦେଶ ପାଇଁ ଗୌରବ ଆଣିଥିଲେ । ଅଲିମ୍ପିକ୍ସ ଓ ଏସିଆନ୍ ଗେମ୍ସ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ଚେସ୍ ଗ୍ରାଣ୍ଡମାଷ୍ଟର ବିଦିତ ସନ୍ତୋଷ ଗୁଜରାଠୀ ମଧ୍ୟ ଅର୍ଜୁନ ପୁରସ୍କାର ପାଇଛନ୍ତି । ଫିଡେ ଚେସ୍ ଅଲିମ୍ପିଆଡ୍, ଗ୍ରାଣ୍ଡ ସ୍ୱିସ୍ ଟୁର୍ଣ୍ଣାମେଣ୍ଟ ଏବଂ ଏସିଆନ୍ ଗେମ୍ସରେ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି ।
ଡେଫ୍ ଶୁଟିଂରେ ଭାରତକୁ ଗୌରବାନ୍ୱିତ କରିଥିବା ଧନୁଷ ଶ୍ରୀକାନ୍ତ ମଧ୍ୟ ଏହି ପୁରସ୍କାର ହାସଲ କରିଛନ୍ତି। ଟୋକିଓରେ ଅନୁଷ୍ଠିତ ୨୫ତମ ସମର ଡେଫଲିମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲ୍ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଡେଫ୍ ବର୍ଗରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ପୁରୁଷ କବାଡ଼ି ଖେଳାଳି ସୁରଜିତ୍ ମଧ୍ୟ ଏହି ସମ୍ମାନ ପାଇଛନ୍ତି। ହାଙ୍ଗଝୋଉ ଏସିଆନ୍ ଗେମ୍ସ ଓ ବୁସାନ୍ ଏସିଆନ୍ କବାଡ଼ି ଚାମ୍ପିୟନସିପ୍ରେ ତାଙ୍କର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। ସେହିପରି ହାଇଜମ୍ପ ଓ ଡେକାଥଲନ୍ ଖେଳାଳି ତେଜସ୍ୱିନ ଶଙ୍କର ମଧ୍ୟ ଅର୍ଜୁନ ପୁରସ୍କାର ପାଇଛନ୍ତି ।
ଏହାବ୍ୟତୀତ ପାରା ଶୁଟିଂ ଖେଳାଳି ରୁଦ୍ରାଂଶ ଖଣ୍ଡେଲୱାଲ, ମହିଳା ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗାୟତ୍ରୀ ଗୋପୀଚାନ୍ଦ, ଶୁଟର ଅଖିଲ ଶ୍ୟୋରାଣ, ରୋଇଂ ଖେଳାଳି ଅରବିନ୍ଦ ସିଂହ, ପାରା ଆଥଲେଟ୍ ଏକତା ଭ୍ୟାନ୍, ବକ୍ସର ନରେନ୍ଦ୍ର, ହକି ଖେଳାଳି ରାଜକୁମାର ପାଲ, ବ୍ୟାଡମିଣ୍ଟନ ଖେଳାଳି ତ୍ରିସା ଜଲି ଏବଂ ଆଥଲେଟ୍ ମହମ୍ମଦ ଅଫଜଲ ଭି ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।





