odisha24 Live

Latest News

Latest News

କେବିସି ୧୮କୁ ଫେରିଲେ ଅମିତାଭ ବଚ୍ଚନ

ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ପୁଣିଥରେ ଟେଲିଭିଜନ୍‌ର ଲୋକପ୍ରିୟ କୁଇଜ୍ ଶୋ’ ‘କୌନ୍ ବନେଗା କରୋଡ଼ପତି ୧୮’ର ସେଟ୍‌କୁ ଫେରିଛନ୍ତି ।  କିଛି ଦିନ ଧରି ଶୋ’ର ସୁଟିଂରୁ ଦୂରେଇ ରହିବା ପରେ ପୁଣିଥରେ ହୋଷ୍ଟ ଦାୟିତ୍ୱ ସମ୍ଭାଳିଛନ୍ତି ବିଗ୍ ବି । ଶୋ’ର ନୂଆ ପ୍ରୋମୋରେ ତାଙ୍କର କମ୍‌ବ୍ୟାକ୍‌ର ପ୍ରଥମ ଝଲକ ଦେଖିବାକୁ ମିଳିଛି । ପ୍ରୋମୋରେ ଅମିତାଭ ନିଜର ପୁରୁଣା ଅନ୍ଦାଜରେ ସେଟ୍‌କୁ ଏଣ୍ଟ୍ରି କରିବା ସହ ପ୍ରତିଯୋଗୀଙ୍କ ସହ ହସମଜା କରୁଥିବା ନଜର ଆସିଛନ୍ତି । ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର । ଏଥିସହ ଦର୍ଶକଙ୍କୁ ନୂଆ ଏପିସୋଡ୍ ପାଇଁ ଆଉ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ନଭେମ୍ବର ୧୬, ୨୦୨୬ରୁ ଶୋ’ର ନୂଆ ଏପିସୋଡ୍ ଆରମ୍ଭ ହେବ ।

‘କୌନ୍ ବନେଗା କରୋଡ଼ପତି ୧୮’ର ନୂଆ ପ୍ରୋମୋରେ ଅମିତାଭ ବଚ୍ଚନଙ୍କ ଜବରଦସ୍ତ ଏନର୍ଜି ଦେଖିବାକୁ ମିଳିଛି । ସେ ଦୌଡ଼ି ଦୌଡ଼ି ନିଜ ହୋଷ୍ଟିଂ ସ୍ଥାନରେ ପହଞ୍ଚିବା ସହ ପୂରା ଉତ୍ସାହର ସହ ଶୋ’ ଆରମ୍ଭ କରୁଥିବା ନଜର ଆସିଛନ୍ତି । ଏହି ସମୟରେ ଜଣେ ପ୍ରତିଯୋଗୀ ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଛନ୍ତି ।  ଏହାର ଉତ୍ତରରେ ବିଗ୍ ବି ନିଜର ଚିରାଚରିତ ମଜାଳିଆ ଅନ୍ଦାଜରେ ପ୍ରତିଯୋଗୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି, ‘ଆପଣ କେମିତି ଅଛନ୍ତି?’ ଏହାପରେ ପ୍ରତିଯୋଗୀ ଜଣକ ନିଜକୁ ଭଲ ଥିବା କହିବାରୁ ଅମିତାଭ ମଜାଳିଆ ଢଙ୍ଗରେ କହିଛନ୍ତି, ‘ଆପଣ ଯଦି ଭଲ ଅଛନ୍ତି, ତେବେ ମୁଁ ମଧ୍ୟ ଭଲ ଅଛି ।’ ତାଙ୍କର ଏହି କଥା ଶୁଣି ସେଟ୍‌ରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଥିଲେ। ତାଙ୍କର ଏହି ଅନ୍ଦାଜ ପୁଣିଥରେ ଦର୍ଶକଙ୍କୁ ପୁରୁଣା କେବିସିର ସ୍ମୃତି ମନେ ପକାଇ ଦେଇଛି । ଶୋ’କୁ ଫେରିବା ସମୟରେ ଅମିତାଭ ବଚ୍ଚନ ନିଜ ପ୍ରଶଂସକଙ୍କ ପ୍ରତି କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି, ‘ଆପଣ ସମସ୍ତଙ୍କ ଭଲପାଇବା, ପ୍ରାର୍ଥନା ଓ ଆଶୀର୍ବାଦ ଯୋଗୁଁ ଆମେ ପୁଣିଥରେ ଏଠାରେ ହାଜର ହୋଇଛୁ ।’ ତାଙ୍କର ଏହି ବୟାନରୁ ସ୍ପଷ୍ଟ ହୋଇଛି ଯେ, କଠିନ ସମୟରେ ପ୍ରଶଂସକଙ୍କଠାରୁ ମିଳିଥିବା ସମର୍ଥନକୁ ସେ କେତେ ଗୁରୁତ୍ୱ ଦିଅନ୍ତି । ପ୍ରକୃତରେ, ତାଙ୍କ ଅନୁପସ୍ଥିତି ସମୟରେ ପ୍ରଶଂସକମାନେ ଲଗାତାର ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରୁଥିଲେ । ଏବେ ନୂଆ ପ୍ରୋମୋରେ ତାଙ୍କୁ ସୁସ୍ଥ ଓ ଉତ୍ସାହିତ ଦେଖି ପ୍ରଶଂସକମାନେ ଆଶ୍ୱସ୍ତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ଅମିତାଭ ବଚ୍ଚନ ଋତୁକାଳୀନ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ କିଛି ସମୟ ପାଇଁ ସୁଟିଂରୁ ବିରତି ନେବାକୁ ପଡ଼ିଥିଲା । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ବିଶ୍ରାମ ନେଇଥିଲେ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି । ଏହା ପୂର୍ବରୁ ଅକ୍ଟୋବର ୨୦୨୬ରେ ମଧ୍ୟ ଅମିତାଭ ସୁଟିଂ ସମୟରେ ଆଣ୍ଠୁରେ ଆଘାତ ଲାଗିଥିବା ନେଇ ସୂଚନା ଦେଇଥିଲେ । ସୁଟିଂ ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ଆହତ ହୋଇଥିବା କୁହାଯାଇଥିଲା । ଏହାପରେ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଏବେ ଅଭିନେତା ଫେରିବା ପରେ ଶୋ’ର ସୁଟିଂ ପୁଣିଥରେ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି । 

Share In Social Media
Scroll to Top