
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ଜଗତରେ ପୁଣି ଜୟ ଶାହଙ୍କ ଦବଦବା। ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ (ICC)ର ଚେୟାରମ୍ୟାନ୍ ଭାବେ ଜୟ ଶାହ କ୍ରମାଗତ ଦ୍ୱିତୀୟ ଥର ପାଇଁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ICC ବୋର୍ଡ ଓ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତ ଡାଇରେକ୍ଟର ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ତାଙ୍କୁ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଏହି ଦାୟିତ୍ୱ ମିଳିଛି।
ଜୟ ଶାହଙ୍କ ନେତୃତ୍ୱ ଉପରେ ICC ବୋର୍ଡର ଭରସାକୁ ଏହି ନିଷ୍ପତ୍ତି ପ୍ରତିଫଳିତ କରୁଛି। ବିଶ୍ୱବ୍ୟାପୀ କ୍ରିକେଟର ପ୍ରସାର, ଅଧିକ ପ୍ରଶଂସକ ସୃଷ୍ଟି ଏବଂ ଏହି ଖେଳର ଆର୍ଥିକ ଆୟ ବୃଦ୍ଧି କରିବା ଦିଗରେ ତାଙ୍କ ନେତୃତ୍ୱ ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ ବୋଲି ICC ପକ୍ଷରୁ କୁହାଯାଇଛି।ଦ୍ୱିତୀୟ ଥର ଚେୟାରମ୍ୟାନ୍ ନିର୍ବାଚିତ ହେବା ପରେ ଜୟ ଶାହ କହିଛନ୍ତି, ICCର ଚେୟାରମ୍ୟାନ୍ ଭାବେ କାମ କରିବା ତାଙ୍କ ପାଇଁ ଗର୍ବର ବିଷୟ ଏବଂ ଏକ ବଡ଼ ଦାୟିତ୍ୱ। ବିଶ୍ୱର ସମସ୍ତ ସଦସ୍ୟଙ୍କ ସହ ମିଶି କ୍ରିକେଟକୁ ଆହୁରି ଆଗକୁ ନେବାକୁ ସେ ପ୍ରତିଶ୍ରୁତିବଦ୍ଧ। ବର୍ତ୍ତମାନ କ୍ରିକେଟ୍ ଏକ ରୋମାଞ୍ଚକର ସମୟ ଦେଇ ଗତି କରୁଛି। ୨୦୨୮ ମସିହାରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବା ଦ୍ୱାରା ଏହି ଖେଳକୁ ନୂଆ ଦର୍ଶକଙ୍କ ପାଖରେ ପହଞ୍ଚାଇବାର ସୁଯୋଗ ମିଳିବ ବୋଲି ସେ କହିଛନ୍ତି। ତାଙ୍କ ମତରେ, ଦାୟିତ୍ୱ କେବଳ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସୀମିତ ନୁହେଁ। ବରଂ ଖେଳାଳି, ପ୍ରଶଂସକ, ବ୍ୟବସାୟିକ ସହଯୋଗୀ ଏବଂ କ୍ରିକେଟ୍ ସହ ଜଡ଼ିତ ସମସ୍ତଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ଏହି ଖେଳର ଭବିଷ୍ୟତକୁ ମଜବୁତ କରିବା ତାଙ୍କର ପ୍ରମୁଖ ଲକ୍ଷ୍ୟ।
୨୦୨୪ ମସିହାରେ ପ୍ରଥମ ଥର ପାଇଁ ICC ଚେୟାରମ୍ୟାନ୍ ହୋଇଥିଲେ ଜୟ ଶାହ। ସେ ନ୍ୟୁଜିଲାଣ୍ଡର ଗ୍ରେଗ୍ ବାର୍କଲେଙ୍କ ସ୍ଥାନ ନେଇଥିଲେ। ମାତ୍ର ୩୬ ବର୍ଷ ବୟସରେ ICC ଚେୟାରମ୍ୟାନ୍ ହୋଇ ସେ ଏହି ପଦରେ ପହଞ୍ଚିଥିବା ସବୁଠାରୁ କମ୍ ବୟସର ବ୍ୟକ୍ତି ହୋଇଥିଲେ।





