
ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ୪ର୍ଥ ଓ ୫ମ ଦିନିକିଆ ମ୍ୟାଚ୍ରେ ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରେୟସ ଆୟର । ପ୍ରଥମ ୩ଟି ମ୍ୟାଚ୍ରେ ନିୟମିତ ଅଧିନାୟକ ଶୁଭମନ ଗିଲ୍ ଦଳର କମାଣ ସମ୍ଭାଳିଥିଲେ। ତେବେ ଟେଷ୍ଟ ସିରିଜ୍କୁ ଦୃଷ୍ଟିରେ ରଖି ଗିଲ୍ଙ୍କ ସମେତ କିଛି ଖେଳାଳି ଶେଷ ଦୁଇଟି ଦିନିକିଆରେ ଖେଳିବେ ନାହିଁ।
ଗିଲ୍ଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ପାଇଥିବା ଶ୍ରେୟସ ଆୟର ଭାରତର ୨୯ତମ ଦିନିକିଆ ଅଧିନାୟକ ହେବେ । ଏହା ତାଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ, କାରଣ ପ୍ରଥମଥର ପାଇଁ ସେ ଭାରତ ପକ୍ଷରୁ ଅଧିନାୟକ ଭାବେ ଏକଦିବସୀୟ ମ୍ୟାଚ୍ ଖେଳିବେ।
ଭାରତୀୟ ଦିନିକିଆ କ୍ରିକେଟ୍ ଇତିହାସରେ ପ୍ରଥମ ଅଧିନାୟକ ଥିଲେ ଅଜିତ ୱାଡେକର । ୧୯୭୪ ମସିହା ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲା। ସେହି ମ୍ୟାଚ୍ରେ ୱାଡେକର ୧୦ଟି ଚୌକା ସହାୟତାରେ ୬୭ ରନ୍ କରିଥିଲେ। ତେବେ ଲିଡ୍ସର ହେଡିଂଲି ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ ୪ ୱିକେଟ୍ରେ ବିଜୟୀ ହୋଇଥିଲା। ଅଜିତ ୱାଡେକରଙ୍କଠାରୁ ଆରମ୍ଭ କରି ଶୁଭମନ ଗିଲ୍ଙ୍କ ପର୍ଯ୍ୟନ୍ତ ଭାରତୀୟ ଦଳର ନେତୃତ୍ୱ ନେଇଥିବା ଖେଳାଳିଙ୍କ ତାଲିକାରେ ଏବେ ଶ୍ରେୟସ ଆୟରଙ୍କ ନାଁ ଯୋଡ଼ି ହେବ। ଏହି ତାଲିକାରେ ୱାଡେକର, ସୁନୀଲ ଗାଭାସ୍କର, କପିଲ ଦେବ, ମହମ୍ମଦ ଆଝାରୁଦ୍ଦିନ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ଏମ୍ଏସ୍ ଧୋନି, ବିରାଟ କୋହଲି, ରୋହିତ ଶର୍ମା ଓ ଶୁଭମନ ଗିଲ୍ଙ୍କ ଭଳି ଖେଳାଳି ରହିଛନ୍ତି।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ନଭେମ୍ବର ୧୩ ତାରିଖ ଶୁକ୍ରବାର ଦିନ ମାଉଣ୍ଟ ମାଉଙ୍ଗାନୁଇର ବେ-ଓଭାଲ୍ ଷ୍ଟାଡିୟମ୍ରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ମ୍ୟାଚ୍ ସକାଳ ୭ଟା ୩୦ରେ ଆରମ୍ଭ ହେବ । ଏହାର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୭ଟାରେ ଟସ୍ ପଡ଼ିବ ।





