odisha24 Live

Latest News

Latest News

ଗଣତନ୍ତ୍ର ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତବର୍ଷ ଆଜି ବିଶ୍ୱର ଚତୁର୍ଥ ଅର୍ଥନୀତି ଉପରକୁ ଉଠି ଦ୍ରୁତ ଗତିରେ ବିକାଶ କରୁଛି ଏବଂ ଓଡ଼ିଶାରେ ‘ଡବଲ୍ ଇଞ୍ଜିନ୍ ସରକାର’ ଗରିବ, ଚାଷୀ, ମହିଳା ଓ ଯୁବବର୍ଗଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୨୦୪୭ ରେ ବିକଶିତ ଭାରତ ସ୍ୱପ୍ନ ଓ ଏହାର କ୍ରିୟାନ୍ୱୟନର ସଫଳ ଅଗ୍ରଗତି ହେଉଛି । ମୋଦି ସରକାରରେ ଆର୍ôଥକ ବିକାଶ ସହିତ ଦେଶରେ ଦାରିଦ୍ର‌୍ୟ ହ୍ରାସ ପାଉଛି । ଯାହାକୁ କିଛି ବାହ୍ୟ ଶକ୍ତି ବିରୋଧ କରୁଛନ୍ତି । କଂଗ୍ରେସ ଓ କେତେକ ବିରୋଧୀ ଦଳ ଦେଶର ଏହି ପ୍ରଗତିକୁ ସହି ନପାରି ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା କରୁଛନ୍ତି । ଏଥିରେ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଏହାର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଭୂମିକା ଓ ପ୍ରତ୍ୟକ୍ଷ ସଂପୃକ୍ତି ରହିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ରାଷ୍ଟ୍ରହିତ ପାଇଁ ଅତ୍ୟନ୍ତ କ୍ଷତିକାରକ । ରାହୁଲ ଗାନ୍ଧୀ ବିଦେଶୀ ବିଭାଜନକାରୀ ଶକ୍ତିମାନଙ୍କ ଇସାରାରେ କାମ କରୁଛନ୍ତି । ଏସ୍‌ଆଇଆର୍‌କୁ ନେଇ ବିରୋଧୀଙ୍କ ଅପପ୍ରଚାର ଅତ୍ୟନ୍ତ ଅମୂଳକ, ଅଯୌକ୍ତିକ ଏବଂ ଭ୍ରମାତ୍ମକ । ବିରୋଧୀ ଦଳଗୁଡ଼ିକ ସାଧାରଣ ଜନତାଙ୍କ ଅଧିକାର ପାଇଁ ନୁହେଁ ବରଂ ମୃତ ବ୍ୟକ୍ତି, ଠିକଣା ବଦଳାଇଥିବା ବ୍ୟକ୍ତି ଏବଂ ବେଆଇନ ଅନୁପ୍ରବେଶକାରୀ ଓ ଜାଲ୍ ଭୋଟରଙ୍କୁ ନିଜର ଭୋଟ୍ ବ୍ୟାଙ୍କ ଭାବେ ବଂଚାଇ ରଖିବା ପାଇଁ ନିର୍ବାଚନ ଆୟୋଗ ବିରୋଧରେ ଅପପ୍ରଚାର ଚଳାଇଛନ୍ତି । କ୍ଷମତା ହରାଇବାର ଯନ୍ତ୍ରଣାରେ ଦେଶରେ ଅସ୍ଥିରତା ଓ ‘ରିଜିମ୍ ଚେଞ୍ଜ’ର କଥା କହୁଛନ୍ତି । ଦେଶର ୧୪୦ କୋଟି ଜନସାଧାରଣଙ୍କ ଉପରେ ଆସ୍ଥା ନ ରଖି ନାଗରିକତା ନଥିବା ଲୋକଙ୍କୁ ସୁରକ୍ଷା ଦେବାର ଏହି ଷଡ଼ଯନ୍ତ୍ରକୁ କେବେବି ବରଦାସ୍ତ କରାଯିବ ନାହିଁ । ସୁରକ୍ଷିତ ଗଣତନ୍ତ୍ର ଆମର ପ୍ରତିବଦ୍ଧତା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଦେଶର ଗଣତନ୍ତ୍ର, ସମ୍ବିଧାନ ଏବଂ ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ “ଗଣତନ୍ତ୍ର ବଂଚାଅ – ଅରାଜକତା ହଟାଅ” ଅଭିଯାନ ଅନ୍ତର୍ଗତ ପଦଯାତ୍ରାକୁ ଅଭୁତପୂର୍ବ ଜନସମର୍ଥନ ଓ ଲୋକଙ୍କ ଉତ୍ସାହ ମିଳୁଛି । ଓଡିଶାରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀକୁ ସମର୍ଥନ କରିବା, ଦିଲ୍ଲୀରେ କଂଗ୍ରେସ ଓ ଇଣ୍ଡି ମେଂଟର ବୈଠକରେ ଯୋଗ ଦେବା ଏବଂ ଦିଲ୍ଲୀଠାରେ ଅନୁଷ୍ଠିତ ଇଣ୍ଡି ମେଂଟ ରାଲିରେ ସାମିଲ ହେବା ଭଳି ଘଟଣା ବିଜୁ ଜନତା ଦଳର “ସମଦୂରତ୍ୱ ନାରାର ମିଛ ନାଟକ”ର ଅସଲ ଚରିତ୍ରକୁ ପଦାରେ ପକାଇଛି । ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ଏବଂ ଗଣତନ୍ତ୍ର ଓ ରାଷ୍ଟ୍ରବାଦର ସପକ୍ଷରେ ରାଜ୍ୟବାସୀ ସର୍ବଦା ଠିଆ ହୋଇଥିବାର ଏହା ସ୍ପଷ୍ଟ ପ୍ରମାଣ କରୁଛି । “ଗଣତନ୍ତ୍ର ବଂଚାଅ – ଅରାଜକତା ହଟାଅ” ସ୍ଲୋଗାନକୁ ଗାଁ ଗଣ୍ଡାର ପ୍ରତିଟି ଘରେ ପହଁଚାଇବାକୁ ଆହ୍ୱାନ କରୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶର ବିକାଶ ଯାତ୍ରା ଅହରହ ଜାରି ରହିଛି ଏବଂ ଜନସାଧାରଣଙ୍କ ସହଯୋଗରେ ଅରାଜକତାବାଦୀଙ୍କ ସମସ୍ତ କୁଚକ୍ରାନ୍ତକୁ ଗଣତାନ୍ତ୍ରିକ ଉପାୟରେ ସମ୍ପୂର୍ଣ୍ଣ ମୂଳପୋଛ କରି ଏକ ସମୃଦ୍ଧ ଓଡ଼ିଶା ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।  ଏହି ପଦଯାତ୍ରାରେ ସାମିଲ ହୋଇ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୈାହ୍ୱାନ କହିଛନ୍ତି ଯେ; ଦେଶର ସେନା, ସାମ୍ବିଧାନିକ ବ୍ୟବସ୍ଥା ଓ ଅନୁଷ୍ଠାନଗୁଡିକୁ ମିଛଟାରେ ବଦନାମ କରିବା ଭଳି ହୀନ କାର୍ଯ୍ୟରେ ରାହୁଲ ଗାନ୍ଧୀ, କଂଗ୍ରେସ ଦଳ ଓ ଇଣ୍ଡି ମେଂଟ ଦେଶ ବିରୋଧୀ ତତ୍ୱ ସହ ହାତ ମିଳାଇ କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦେଶବାସୀ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିସାରିଛନ୍ତି ।

ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ.ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ; କଂଗ୍ରେସ ଯେଉଁଠି ନିର୍ବାଚନ ଜିତୁଛି ସେଠାରେ ଇଭିଏମ୍ ଓ ନିର୍ବାଚନ ଆୟୋଗ ଠିକ୍ ଲାଗୁଥିବା ବେଳେ, ବିଜେପି ଜିତିଲେ ଭୋଟ୍ ଚୋରି ହେଉଛି ବୋଲି ଅଭିଯୋଗ ଆଣିବା ସେମାନଙ୍କ ଦୋମୁହାଁ ନୀତିର ପରିଚୟ । ଓଡ଼ିଶାରେ ସମେତ ଗୁଜରାଟ, ମହାରାଷ୍ଟ୍ର, ଉତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ କ୍ରମାଗତ ନିର୍ବାଚନୀ ପରାଜୟ ଓ ରାଜନୈତିକ ଦେବାଳିଆପଣକୁ ହଜମ କରିନପାରି କଂଗ୍ରେସ ନେତାମାନେ ହତାଶ ହୋଇପଡ଼ିଛନ୍ତି । କଂଗ୍ରେସର ନିରାଶାଭାବ ପଦାରେ ପଡ଼ିଛି । ନିଜର ବିଫଳତା ଲୁଚାଇବା ପାଇଁ ସେମାନେ ସଂସଦ ଠାରୁ ସଡ଼କ ପର୍ଯ୍ୟନ୍ତ ‘ଭୋଟ୍ ଚୋରି’ର ମିଥ୍ୟା ନାଟକ ରଚୁଛନ୍ତି । ଦୀର୍ଘ ଦିନର କ୍ଷମତାରୁ ବାହାରେ ରହିବାର ଓ ହତାଶାର ପ୍ରଳାପ କରୁଛି କଂଗ୍ରେସ ।

ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ “ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ ଅଭିଯାନ” ବିଶାଳ ପଦଯାତ୍ରା ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରୁ ଆରମ୍ଭ ହୋଇ ବାଣୀବିହାର ଠାରେ ଶେଷ ହୋଇଯାଇଛି । ଏହି ପଦଯାତ୍ରାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏବଂ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସୁଧାଂଶୁ ତ୍ରିବେଦୀ ସାମିଲ ହୋଇଛନ୍ତି ।

Share In Social Media
Scroll to Top