odisha24 Live

Latest News

Latest News

ବିଶ୍ବ କୁସ୍ତି ଚମ୍ପିଆନସିପ୍‌

ନୂଆଦିଲ୍ଲୀ : କାଜଖସ୍ତାନର ଆସ୍ତାନରେ ଚାଲିଥିବା ବିଶ୍ବ କୁସ୍ତି ପ୍ରତିଯୋଗିତାରେ ଦୁଇ ଭାରତୀୟ କୁସ୍ତିବିତ୍‌ କାଜଲ ଢୋଚାକ ଓ ନୀଲମ ସିରୋହି ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ପ୍ରଥମ ଥର ପାଇଁ ଏକ ସଂସ୍କରଣରେ ଦୁଇ ଭାରତୀୟ ମହିଳା ରୌପ୍ୟ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି। ପୂର୍ବରୁ ଏକମାତ୍ର ଭାରତୀୟ ମହିଳା କୁସ୍ତିବିତ୍‌ ଭାବେ ୨୦୨୧ ବିଶ୍ବ ଚମ୍ପିଆନସିପର ୫୭ କିଗ୍ରା ବର୍ଗ ଫାଇନାଲରେ ଅଂଶୁ ମଲିକ ପରାଜିତ ହୋଇ ରୌପ୍ୟ ପଦକ ଜିତିଥିଲେ। ୧୮ ବର୍ଷୀୟା କାଜଲ ଗୁରୁବାର ମହିଳା ୭୬ କିଗ୍ରା ବରିଷ୍ଠ ଫାଇନାଲରେ ୬-୮ରେ ୩ଥର ୟୁରୋପୀୟ ବିଜୟିନୀ ୟୁକ୍ରେନର ଆନାସ୍ତାସିଆ ଆଲପେୟେଭାଙ୍କଠାରୁ ପରାଜିତ ହୋଇଥିଲେ।

ଏକ ସମୟରେ ଗେମ୍‌ ୪-୪ ରହିଥିଲା। ଶେଷ ୨୦ ସେକେଣ୍ଡରେ ଆନାସ୍ତାସିଆ ଚମତ୍କାର ପ୍ରଦର୍ଶନ କରି ୮-୬ରେ ବିଜୟୀ ହୋଇଥିଲେ। କାଜଲ ସେମିଫାଇନାଲରେ ୧୦-୭ରେ କିର୍ଗିଜସ୍ତାନର ଆଇପେରି ମେହେତ କିଜୁଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ୨୦ ବର୍ଷରୁ କମ୍‌ ବିଶ୍ବ କୁସ୍ତି ଚମ୍ପିଆନସିପରେ ଦୁଇଥର ଚମ୍ପିଅାନ କାଜଲ ସ୍ବର୍ଣ୍ଣ ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ୨୦୧୦ରେ ସୁଶୀଲ କୁମାର ଏକମାତ୍ର ଭାରତୀୟ ଭାବେ ଉକ୍ତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୨୬ ବର୍ଷୀୟା ନୀଲମ ୫୦ କିଗ୍ରା ମହିଳା ଫାଇନାଲରେ ୫ଥର ବିଶ୍ବ ବିଜୟିନୀ ଜାପାନର ୟୁଇ ସୁସାକିଙ୍କଠାରୁ ୦-୫ରେ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ସେମିଫାଇନାଲରେ ନୀଲମ କାଜଖସ୍ତାନର ଜିନେପ ବେୟାନୋଭାଙ୍କୁ ୭-୩ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। 

Share In Social Media
Scroll to Top