
ବ୍ରହ୍ମପୁର: ବ୍ରହ୍ମପୁରରେ ଲଜ୍ଜା । ଯେଉଁ ବାପା ନିଜ ଝିଅମାନଙ୍କୁ ସୁରକ୍ଷା ଦେବା କଥା, ସେହି ବାପାଙ୍କ ନାଁରେ ଆସିଛି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ନ୍ୟାୟ ପାଇଁ ଏବେ ଗୁହାରି କରୁଛନ୍ତି ଦୁଇ ଝିଅ। ଏପରିକି ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଭିଡିଓ ଜରିଆରେ ଚେତାବନୀ ଦେଇଛନ୍ତି । ସୂଚନା ଅନୁସାରେ, ବ୍ରହ୍ମପୁରରେ ତିନି ଜଣ ଝିଅଙ୍କୁ ସେମାନଙ୍କ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ କିଛି ମାସ ପୂର୍ବରୁ ଥାନାରେ ଏତଲା ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ ମଧ୍ୟ କରିଥିଲା। ତେବେ ପରବର୍ତ୍ତୀ ସମୟରେ ସେ ଜାମିନରେ ମୁକୁଳିଥିଲେ । ଏବେ ପୁଣି ଥରେ ଦୁଇ ଭଉଣୀଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏଭଳି ନିର୍ଯାତନା ସହି ନପାରି ବଡ଼ ଝିଅ ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ଜଣାପଡ଼ିଛି ।
ବର୍ତ୍ତମାନ ସାନ ଝିଅ ବାଳାଶ୍ରମରେ ରହୁଥିବା ବେଳେ ଅନ୍ୟ ଦୁଇ ଭଉଣୀ ନିଜ ଘରେ ରହୁଛନ୍ତି । ଘରେ ରହୁଥିବା ଦୁଇ ଭଉଣୀ ଏବେ ନିଜ ସୁରକ୍ଷାକୁ ନେଇ ଚିନ୍ତିତ। ଯଦି ଆଗାମୀ ଦିନରେ ସେମାନଙ୍କର କିଛି ଅଘଟଣ ଘଟେ, ତେବେ ଏଥିପାଇଁ ପୁଲିସ ଓ ଓକିଲ ଦାୟୀ ରହିବେ ବୋଲି ଭିଡିଓରେ କହିଛନ୍ତି ଦୁଇ ଭଉଣୀ ।ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଛି ବ୍ରହ୍ମପୁର ପୁଲିସ ।ବ୍ରହ୍ମପୁର ଏସ୍ପିଙ୍କ ସୂଚନା ଅନୁସାରେ, ପ୍ରଥମ ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରାଯାଇଥିଲା । ଏହା ସହ ଦ୍ୱିତୀୟ ଅଭିଯୋଗରେ ତିନି ଜଣଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୫(୩) ଅନୁଯାୟୀ ନୋଟିସ୍ ଜାରି କରାଯାଇଛି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଦୁଇ ଝିଅଙ୍କ ସୁରକ୍ଷା, ପରାମର୍ଶ ଓ ଆଇନଗତ ସହାୟତା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ଏସ୍ପି କହିଛନ୍ତି ।





