
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ର ଲାଲ୍ ବଲ୍ ଯାତ୍ରାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଟେଷ୍ଟ କ୍ରିକେଟ୍କୁ ଅଲ୍ବିଦା କହିଛନ୍ତି ଭାରତର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମି । ୧୩ ବର୍ଷର ଲମ୍ବା ଯାତ୍ରା, ୬୪ଟି ଟେଷ୍ଟ ମ୍ୟାଚ୍ ଏବଂ ୨୨୯ଟି ୱିକେଟ୍ର ସ୍ମରଣୀୟ ଅଧ୍ୟାୟରେ ଲାଗିଛି ଯବନିକା । ଶୁକ୍ରବାର ସୋସିଆଲ ମିଡିଆରେ ଭାବବିହ୍ୱଳ ପୋଷ୍ଟ ସେୟାର କରି ଅବସର ଘୋଷଣା କରିଛନ୍ତି ଶାମି । ତେବେ ଟେଷ୍ଟରୁ ବିଦାୟ ନେଇଥିଲେ ମଧ୍ୟ ଦିନିକିଆ ଓ ଟି-୨୦ରେ ଜାରି ରହିବ ତାଙ୍କ କ୍ରିକେଟ୍ ଯାତ୍ରା ।
ଏହି ଯାତ୍ରା ଥିଲା ସଂଘର୍ଷ, ସଫଳତା ଓ ଅନେକ ସ୍ମରଣୀୟ ମୁହୂର୍ତ୍ତର । ନୂଆ ବଲ୍ରେ ସୁଇଂ ହେଉ କି ପୁରୁଣା ବଲ୍ରେ ରିଭର୍ସ ସୁଇଂ, ନିଜର ଘାତକ ବୋଲିଂରେ ବିଶ୍ୱର ବଡ଼ ବଡ଼ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇଥିଲେ ଶାମି । ୬୪ଟି ଟେଷ୍ଟ ମ୍ୟାଚ୍ରେ ୨୨୯ଟି ୱିକେଟ୍ । ୬ ଥର ପାଞ୍ଚ ୱିକେଟ୍ ସଫଳତା । ଆଉ ଗୋଟିଏ ମ୍ୟାଚ୍ରେ ୯ ୱିକେଟ୍ ନେବାର ଅସାଧାରଣ ପ୍ରଦର୍ଶନ । ଏହା ବୟାନ କରୁଛି ଟେଷ୍ଟ କ୍ରିକେଟ୍ରେ ଶାମିଙ୍କ ଦବ୍ଦବା । ବିଶେଷକରି ବିଦେଶ ମାଟିରେ ଶାମିଙ୍କ ବୋଲିଂ ଭାରତ ପାଇଁ ଥିଲା ବଡ଼ ଶକ୍ତି । ୨୦୧୮ରେ ଜୋହାନ୍ସବର୍ଗ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫/୨୮ ୱିକେଟ୍ ନେଇ ଭାରତର ବିଜୟରେ ନିଭାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମାଟିରେ ମଧ୍ୟ ନିଜ ବୋଲିଂର ଯାଦୁ ଦେଖାଇଥିଲେ ।
ନିଜ ଅବସର ବାର୍ତ୍ତାରେ ଶାମି ଲେଖିଛନ୍ତି, ପ୍ରଥମ ଥର ଭାରତର ଟେଷ୍ଟ ଜର୍ସି ପିନ୍ଧିବା ବେଳେ ଦେଶ ପାଇଁ କିଛି କରିବା ହିଁ ତାଙ୍କର ସ୍ୱପ୍ନ ଥିଲା । ଏହି ଯାତ୍ରାର ପ୍ରତ୍ୟେକ ୱିକେଟ୍, ସଂଘର୍ଷ, ଆଘାତ ଓ ପ୍ରତ୍ୟାବର୍ତ୍ତନ ତାଙ୍କୁ ଅନେକ କିଛି ଶିଖାଇଛି । ସାଥୀ ଖେଳାଳି, କୋଚ୍, ପରିବାର, ବିସିସିଆଇ, ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ ଏବଂ ପ୍ରଶଂସକଙ୍କୁ ମଧ୍ୟ ଜଣାଇଛନ୍ତି କୃତଜ୍ଞତା । ତେବେ ଶାମିଙ୍କ ଶେଷ ଟେଷ୍ଟ ମ୍ୟାଚ୍ ଥିଲା ୨୦୨୩ ଜୁନ୍ରେ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ।





