
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନିକିଆ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ୱେଲିଂଟନ୍ରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆରେ ବିଜୟ ସହ ସିରିଜ୍ର ଶୁଭାରମ୍ଭ କରିଥିବା ଟିମ୍ ଇଣ୍ଡିଆ ବର୍ତ୍ତମାନ ଏହି ମ୍ୟାଚ୍ ଜିତି ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ରହିଛି।
ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଉପରେ ବର୍ଷା ରୂପୀ କଳାବାଦଲ ଘରି ରହିଛି। ଅକ୍ଲାଣ୍ଡରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ସମୟରେ ମଧ୍ୟ ବର୍ଷା ବାଧା ସୃଷ୍ଟି କରିଥିଲା ଏବଂ ଓଭର୍ ସଂଖ୍ୟା ହ୍ରାସ କରାଯାଇଥିଲା। ବର୍ତ୍ତମାନ ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ଯାହା କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହରେ ପାଣି ପକାଇପାରେ। ଦ୍ୱିତୀୟ ଦିନିକିଆ ପୂର୍ବରୁ ଉଭୟ ଭାରତୀୟ ଏବଂ ନ୍ୟୁଜିଲାଣ୍ଡ ଦଳ ଜୋରଦାର ପ୍ରସ୍ତୁତି ଚଳାଇଥିଲେ, କିନ୍ତୁ ଖରାପ ପାଗ ଏଥିରେ ବାଧା ସାଜିଛି। ହେନେରୀ ଷ୍ଟାଡିୟମ୍ ଅଞ୍ଚଳରେ ପ୍ରବଳ ବର୍ଷା ହେବା କାରଣରୁ ଭାରତୀୟ ଦଳକୁ ସେମାନଙ୍କର ବାହ୍ୟ ଅଭ୍ୟାସ ସତ୍ର ବାତିଲ କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳ ୱେଲିଂଟନ୍ କଲେଜ୍ରେ ଇଣ୍ଡୋର୍ ପ୍ରାକ୍ଟିସ୍ କରିବାକୁ ନିଷ୍ପତ୍ତି ନେଇଥିଲା। ଆକ୍ୟୁୱେଦର୍ ର ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ଦିନ ପ୍ରଥମାର୍ଦ୍ଧରେ ବର୍ଷା ହେବାର ସମ୍ଭାବନା ୬୦ ପ୍ରତିଶତ ଥିବାବେଳେ ଦ୍ୱିତୀୟାର୍ଦ୍ଧରେ ଏହା ୫୫ ପ୍ରତିଶତ ରହିଛି। ନ୍ୟୁଜିଲାଣ୍ଡର ବର୍ତ୍ତମାନର ପାଣିପାଗ ଖେଳାଳି ଏବଂ ଆୟୋଜକଙ୍କ ଚିନ୍ତା ବଢ଼ାଇ ଦେଇଛି।
ପ୍ରଥମ ଦିନିକିଆରେ ମଧ୍ୟ ବର୍ଷା କାରଣରୁ ମ୍ୟାଚ୍ ୧୦ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା ଏବଂ ପରେ ଭାରତୀୟ ବ୍ୟାଟିଂ ସମୟରେ ପୁଣି ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ୫୦ ଓଭରର ମ୍ୟାଚ୍କୁ ୩୨ ଓଭରକୁ ଖସାଇ ଦିଆଯାଇଥିଲା ଏବଂ ଭାରତକୁ ୧୪୩ ରନ୍ର ସଂଶୋଧିତ ଲକ୍ଷ୍ୟ ମିଳିଥିଲା। ତେବେ ପାଗ ଅଧିକ ବିଗିଡ଼ିଗଲେ ଦ୍ୱିତୀୟ ମ୍ୟାଚ୍ର ଓଭର୍ ଆହୁରି କମିପାରେ କିମ୍ବା ମ୍ୟାଚ୍ ବାତିଲ ମଧ୍ୟ ହୋଇପାରେ।





