
ନୂଆଦିଲ୍ଲୀ : ଚଳିତ ମହିଳା ଟି- ଟ୍ୱେଣ୍ଟି ଏସିଆ କପର ଦ୍ଵିତୀୟ ସେମି ଫାଇନାଲରେ ପାକିସ୍ତାନକୁ ୪ ୱିକେଟ୍ରେ ହରାଇ ଡିଫେଣ୍ଡିଂ ଚାମ୍ପିଅନ୍ ଶ୍ରୀଲଙ୍କା ଫାଇନାଲ୍ରେ ପ୍ରବେଶ କରିଛି। ଆସନ୍ତା ରବିବାର ୭ ଥର ଚାମ୍ପିଅନ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ୍ ଖେଳାଯିବ । ଗତ ସଂସ୍କରଣରେ ଉଭୟ ଦଳ ଫାଇନାଲ୍ରେ ପରସ୍ପରକୁ ଭେଟିଥିଲେ। ଶ୍ରୀଲଙ୍କା ୮ ୱିକେଟ୍ରେ ବିଜୟୀ ହୋଇ ପ୍ରଥମ ଥର ଏସିଆ କପ୍ ଚାମ୍ପିଅନ୍ ହୋଇଥିଲା।
ଶୁକ୍ରବାର ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୫/୧୩୦ରନ୍ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ୮ଟି ବଲ୍ ବାକି ଥାଇ ୬ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା। ଟସ୍ ଜିତି ଫିଲିଂ ନିଷ୍ପତ୍ତି ନେବା ଶ୍ରୀଲଙ୍କା ପାଇଁ ଫଳପ୍ରଦ ରହିଥିଲା। ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ୨୯ ରନ୍ ମଧ୍ଯରେ ପାକିସ୍ତାନର ଓପନିଂ ଯୋଡ଼ିଙ୍କୁ ପାଭିଲିୟନ ପଠାଇଥିଲେ। ମୁନିବା ଅଲି ୨ ଓ ଏସ୍. ଜୁଲଫିକର ୧୬ବଲ୍ରେ ୨୪ (୨ଚୌକା, ୨ଛକା) ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଦଳ ଆଉ ୨ଟି ୱିକେଟ୍ ହରାଇଥିଲା। ଆୟେଶା ଜାଫର ୭ ଓ ସଦାଫ୍ ଶମାସ ୮ରନ୍ କରି ବିଦାୟ ନେଇଥିଲେ। ଅଧିନାୟିକା ଫାତିମା ସାନା କ୍ରିଜରେ ଯୋଗଦେଇ ପ୍ରଥମ ୱିକେଟର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଗୁଲ ଫିରୋଜାଙ୍କ ସହ ମିଶି ସ୍କୋରକୁ ୯୨ରେ ପହଞ୍ଚାଇଥିଲେ। ଫିରୋଜା ୨୧ରନ୍ ଆଉଟ୍ ହୋଇଥିଲେ। ମାତ୍ର ସାନା ୩୬ବଲ୍ରେ ଅପରାଜିତ ୪୭(୪ଚୌକା, ୨ଛକା) ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୫/୧୩୦ରେ ପହଞ୍ଚିଥିଲା। ଅନ୍ୟ ବ୍ୟାଟର ଟୁବା ହାସାନ ୧୨ରନ୍ କରି ଅପରାଜିତ ଥିଲେ।





