odisha24 Live

Latest News

Latest News

ଶେଖ୍‌ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଭାରତର ୨ ସର୍ତ୍ତ!

ନୂଆଦିଲ୍ଲୀ : ଅଗଷ୍ଟ ୨୦୨୪ରେ କ୍ଷମତାଚ୍ୟୁତ ହୋଇ ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଆସନ୍ତା ଡିସେମ୍ବରରେ ସ୍ବଦେଶ ଫେରିପାରନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଭାରତ ସରକାର ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସହମତି ପ୍ରକାଶ କରିଛନ୍ତି, କିନ୍ତୁ ଏଥିପାଇଁ ହାସିନାଙ୍କ ସମ୍ପୂର୍ଣ୍ଣ ସୁରକ୍ଷା ଏବଂ ନିରପେକ୍ଷ ବିଚାରର ସର୍ତ୍ତ ରଖିଛନ୍ତି। ଆଓ୍ବାମୀ ଲିଗ୍‌ ଦଳକୁ ପୁନର୍ଜୀବିତ କରିବା ପାଇଁ ନୂଆଦିଲ୍ଲୀ ଏବଂ ହାସିନାଙ୍କ ମଧ୍ୟରେ ଏହି ବୁଝାମଣା ହୋଇଥିବା ରିପୋର୍ଟରେ ଦାବି କରାଯାଇଛି।

ତେବେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଶୁକ୍ରବାର ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ଅନ୍ୟପଟେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ସରକାର ଏନେଇ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇନାହାନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହାୟକ ପ୍ରେସ୍‌ ସଚିବ କେଏମ୍‌ ନଜମୁଲ ହକ ଫେସ୍‌ବୁକରେ ଦାବି କରିଛନ୍ତି ଯେ,  ବ୍ରିଟେନ-ଆମେରିକା ଓ ସାଉଦି ଆରବ ସମେତ କୌଣସି ଦେଶ ଶେଖ ହାସିନାଙ୍କୁ ଆଶ୍ରୟ ଦେବାକୁ ରାଜି ନ ଥିବାରୁ ସେ ଶେଷ ଉପାୟ ଭାବେ ବାଂଲାଦେଶ ଫେରିବାକୁ ଚାହୁଁଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ୯ରେ ହାସିନା ଏକ ନୂତନ ପାସପୋର୍ଟ ଓ ଯାତ୍ରା ଦସ୍ତାବିଜ ପାଇଁ ବାଂଲାଦେଶ ସରକାରଙ୍କ ନିକଟରେ ଆବେଦନ କରିଥିଲେ, ଯାହା ପରେ ଢାକା ପକ୍ଷରୁ ପୁଣିଥରେ ତାଙ୍କ ପ୍ରତ୍ୟର୍ପଣ ଦାବି ଦୋହରା ଯାଇଥିଲା। ବାଂଲାଦେଶର ଏକ ଅଦାଲତ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇ ସାରିଥିବାବେଳେ, ଭାରତ ଦ୍ୱିପାକ୍ଷିକ ସମ୍ପର୍କ ଓ ମାନବିକତା ଦୃଷ୍ଟିରୁ ତାଙ୍କୁ ଏପର୍ଯ୍ୟନ୍ତ ପ୍ରତ୍ୟର୍ପଣ କରିନାହିଁ।

Share In Social Media
Scroll to Top