
ପୁରୀ : ଶ୍ରୀମନ୍ଦିରରେ ଚାଲିଛି କୃଷ୍ଣ ଜନ୍ମଲୀଳା। ଏହି ଅବସରରେ ଆଜି ଶ୍ରୀମନ୍ଦିରକୁ ବିଜେ କରିବ ସପ୍ତପୁରୀ ତାଡ଼ । ଆସନ୍ତାକାଲି ଅମାବାସ୍ୟା ତିଥିରେ ସାତ ପୁର ଦିଆ ପିଠା ଖାଇବେ ମହାପ୍ରଭୁ ।ଏନେଇ ଆଜି ଚତୁର୍ଦ୍ଦଶୀ ତିଥି ଠାରୁ ତାଡ଼ ବିଜେ ହେବ। ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ। ସପ୍ତପୁରୀ ଅମାବାସ୍ୟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ତାଡ଼ରେ ସାତପୁର ଦିଆ ପିଠା ଭୋଗ କରାଯାଇଥାଏ। ତେଣୁ ତାଡ଼ଗୁଡ଼ିକୁ ସାତପୁରୀ ତାଡ଼ ବୋଲି କୁହାଯାଏ।ଶୁକ୍ରବାର ସପ୍ତପୁରୀ ଅମାବାସ୍ୟା ପଡୁଛି।
ଏହା ପୂର୍ବଦିନ ଅର୍ଥାତ୍ ଆଜି ପରମ୍ପରା ଅନୁଯାୟୀ ଅଠରନଳାସ୍ଥିତ ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ତାଡ଼ ବିଜେ ହେବ। ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ବଢ଼ିଲା ପରେ ଘଣ୍ଟ, ଛତା, କାହାଳୀ ଆଲାମଚଣ୍ଡୀ ମନ୍ଦିରକୁ ଯିବ। ସେଠାରେ ବିଶେଷ ନୀତି ସମ୍ପନ୍ନ ପରେ କୁମ୍ଭାରବିଶୋଇ ସେବକମାନେ ବାଘମୁହାଁ ବାନ୍ଧି ଆଲାମଚଣ୍ଡୀ ଠାକୁରାଣୀଙ୍କ ପୀଠରୁ ୪ଟି ସାତପୁରୀ ତାଡ଼ ଶ୍ରୀମନ୍ଦିରକୁ ବିଜେ କରିବେ। ଏହି ତାଡ଼ ପହଞ୍ଚତ୍ବା ପରେ ଶ୍ରୀମନ୍ଦିର ଭିତରବେଢ଼ାରେ ଗୋଟିଏ ଥର ବୁଲାଇ ଏହାକୁ ରୋଷ ବେହେରଣଠାରେ ରଖାଯିବ। ସନ୍ଧ୍ୟାଧୂପ ବଢ଼ିବା ପରେ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଦକ୍ଷିଣକାଳୀଙ୍କ ପୀଠକୁ ଯାଇ ଠାକୁରାଣୀଙ୍କୁ ଅର୍ପଣ କରିବେ।
ଏହାପରେ ଦକ୍ଷିଣକାଳୀଙ୍କ ସେବକମାନେ ଆଜ୍ଞାମାଳ ଆଣି ଶ୍ରୀମନ୍ଦିରକୁ ଆସି ରୋଷଦ୍ୱାର ପାଖରେ ରୋଷପାଇକଙ୍କୁ ଅର୍ପଣ କରିବେ। ଉକ୍ତ ଆଜ୍ଞାମାଳ ରୋଷଘରେ ବିଜେ କରାଯିବ।





