
ନୂଆଦିଲ୍ଲୀ : ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆଶ୍ୱସ୍ତିକର ଘୋଷଣା କରି ମହଙ୍ଗା ଭତ୍ତା ୮ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ କର୍ମଚାରୀ ତଥା ପେନସନଭୋଗୀ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ମନ୍ତ୍ରୀ ଅମନ ଅରୋରା ଓ ବଲଜିତ କୌର, ମୁଖ୍ୟ ଶାସନ ସଚିବ କେ.ଏ.ପି. ସିହ୍ନା, ସାଧାରଣ ପ୍ରଶାସନ ସଚିବ କେ.କେ. ଯାଦବ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକ ପରେ ପଞ୍ଜାବ ଷ୍ଟେଟ ମିନିଷ୍ଟ୍ରିଆଲ ସର୍ଭିସେସ ୟୁନିଅନର ସଭାପତି ଗୁରନାମ ସିଂହ ର୍ୱିକ କହିଛନ୍ତି ଯେ ବର୍ଦ୍ଧିତ ଡିଏ ଅକ୍ଟୋବର ୧ ତାରିଖରୁ ପ୍ରଦାନ କରାଯିବ। ସେ ଆହୁରି କହିଛନ୍ତି ଯେ ଅନ୍ୟାନ୍ୟ ଅନେକ ପ୍ରସଙ୍ଗରେ ମଧ୍ୟ ସରକାର ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ ଖୁବ ଶୀଘ୍ର ସେଗୁଡ଼ିକ ଉପରେ ଆଲୋଚନା କରାଯିବ। ଅଗଷ୍ଟ ୨୭ ତାରିଖରେ ଏହି ଅଚଳାବସ୍ଥା ଆରମ୍ଭ ହୋଇଥିଲା, ଯେତେବେଳେ ତିନି ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ସାମୂହିକ ଆକସ୍ମିକ ଛୁଟି (Casual Leave) ନେଇ ରାଜ୍ୟବ୍ୟାପୀ ଧର୍ମଘଟକୁ ଓହ୍ଲାଇଥିଲେ ଏବଂ ବକେୟା ଥିବା ୧୮ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ ସମେତ ବିଭିନ୍ନ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇଥିଲେ।
ଭଗୱନ୍ତ ମାନଙ୍କ ତରଫରୁ ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି ଯେ, ଏହି ପଦକ୍ଷେପ କର୍ମଚାରୀଙ୍କ କଲ୍ୟାଣ ଏବଂ ସମ୍ମାନ ପ୍ରତି ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି; ସେ କର୍ମଚାରୀମାନଙ୍କୁ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ମେରୁଦଣ୍ଡ ବୋଲି ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରକୃତ ସମସ୍ୟାର ସମାଧାନ ପାଇଁ କର୍ମଚାରୀ ପ୍ରତିନିଧିଙ୍କ ସହ ବାଧ୍ୟତାମୂଳକ ମାସିକ ବୈଠକ କରିବା, ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ଘରର ୪୦ କିଲୋମିଟର ପରିସର ମଧ୍ୟରେ ପୋଷ୍ଟିଂ ଦେବା ଘୋଷଣା କରିବା ସହ ସୱଚ୍ଛ ତଥା ଦୁର୍ନୀତିମୁକ୍ତ ପ୍ରକ୍ରିୟା ଜରିଆରେ ପ୍ରାୟ ୭୦,୦୦୦ ସରକାରୀ ଚାକିରି ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ମହିଳା କର୍ମଚାରୀମାନଙ୍କୁ ନିଜ କ୍ୟାରିୟର ଏବଂ ପାରିବାରିକ ଦାୟିତ୍ୱ ମଧ୍ୟରୁ କୌଣସି ଗୋଟିକୁ ବାଛିବା ପାଇଁ ବାଧ୍ୟ କରାଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ ରାଜ୍ୟ ସରକାର ସୁନିଶ୍ଚିତ କରିବେ ଯେ ପ୍ରଶାସନିକ ବ୍ୟବସ୍ଥା ସେମାନଙ୍କର ପ୍ରକୃତ ଆବଶ୍ୟକତା ପ୍ରତି ସମ୍ୱେଦନଶୀଳ ରହୁ। ବିବୃତିରେ ଆହୁରି କୁହାଯାଇଛି ଯେ ମାନ କର୍ମଚାରୀ ଓ ପେନସନଭୋଗୀ ପ୍ରତିନିଧିମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଛନ୍ତି।





