
ଭୁବନେଶ୍ୱର: ବାବୁସାନ ମହାନ୍ତିି ନୂଆ ଫିଲ୍ମ ଟାଇଟଲ୍ ଘୋଷଣା କରିଛନ୍ତି । ରଥଯାତ୍ରା (ଜୁଲାଇ 16)ରେ ଫିଲ୍ମର ପୋଷ୍ଟର ରିଲିଜ କରି ନିଜ ଆଗାମୀ ଫିଲ୍ମ ନେଇ ସୂଚନା ଦେଇଥିଲେ ବାବୁସାନ । ଯାହା ପରେ ଫ୍ୟାନ୍ସ ଏହାର ଅପଡେଟ୍ ଜାଣିବାକୁ ଉତ୍ସାହିତ ଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଫିଲ୍ମର ନୂଆ ଲୁକ୍ ପୋଷ୍ଟର ସହ ବାବୁସାନ ଫିଲ୍ମର ଟାଇଟଲ୍ ଘୋଷଣା କରିଛନ୍ତି । ସେ ଫିଲ୍ମର ନାଁ ‘ନବରୂପ’ ବୋଲି ସୂଚନା ଦେଇଛନ୍ତି । ଏଥିସହ ଏହି ଫିଲ୍ମ ସାରା ବିଶ୍ୱରେ ରିଲିଜ ନେଇ ମଧ୍ୟ ସୂଚନା ଦେଇଛନ୍ତି । ଏହି ଫିଲ୍ମ ପାଇଁ ସେ ବଲିଉଡ ନିର୍ମାତା କରଣ ଜୋହରଙ୍କ ସହ ହାତ ମିଳାଇଛନ୍ତି । ଏହାର ଅର୍ଥ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ଫିଲ୍ମ ଡିଷ୍ଟ୍ରିବ୍ୟୁସନ ଦାୟିତ୍ୱ ନେଇଛି ।
ବାବୁସାନ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ରିଲିଜ କରି ଲେଖିଛନ୍ତି, ”ଏକ ନୂତନ ଯୁଗ । ଏକ ବୃହତ୍ତର ଦୃଷ୍ଟିକୋଣ । ଉପସ୍ଥାପନ କରୁଛୁ NAVRUP (ନବରୂପ) । ଓଡ଼ିଆ ସିନେମାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ, ‘ବାବୁଶାନ ଫିଲ୍ମସ୍’ ଏବଂ ‘ପ୍ରିଲ୍ୟୁଡ୍ ନୋଭେଲ୍ ଭେଞ୍ଚର୍ସ’ ସହ ‘ଧର୍ମା ପ୍ରଡକ୍ସନ୍ସ’ ବିଶ୍ୱସ୍ତରୀୟ ବିତରକ ଭାବେ ଯୋଡ଼ି ହୋଇଛି, ଏକ ଐତିହାସିକ ସହଯୋଗ । ଫିଲ୍ମର ପୋଷ୍ଟରରେ ବାବୁସାନ ଏକ ଯୋଦ୍ଧା ଭାବେ ପଛ ମୁହଁ କରି ଠିଆ ହୋଇଥିବା ବେଳେ ହାତରେ ଫାର୍ଶା ଧରିଥିବାର ନଜର ଆସିଛନ୍ତି ।
ସେହିପରି ଧର୍ମା ପ୍ରଡକ୍ସନ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ରିଲିଜ କରି ଲେଖିଛନ୍ତି, ”ପ୍ରତ୍ୟେକ ଅଞ୍ଚଳରେ ଏକ କାଳଜୟୀ କାହାଣୀ ଲୁଚି ରହିଥାଏ, ଯାହା ବିଶ୍ୱ ସାମ୍ନାକୁ ଆସିବାକୁ ଅପେକ୍ଷା କରିଥାଏ । ଓଡ଼ିଶାର ଏକ ଅନନ୍ୟ କାହାଣୀ ‘ନବରୂପ’୨୦୨୭ ମସିହାରେ ସିନେମା ହଲ୍ର ବଡ଼ ପରଦାକୁ ଆଣିବାକୁ ଯାଉଥିବାରୁ ଆମେ ଅତ୍ୟନ୍ତ ଖୁସି । ଧର୍ମା ପ୍ରଡକ୍ସନ୍ସ ଦ୍ୱାରା ବିଶ୍ୱବ୍ୟାପୀ ହେବ ପ୍ରଦର୍ଶିତ ।




