
ମୁମ୍ବାଇ : ଏସିଆନ୍ ଗେମ୍ସ ୨୦୨୬ର ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଭାରତ-ପାକିସ୍ତାନ ଫାଇନାଲ୍ ମହାମୁକାବିଲା ଦେଖିବାର ଫ୍ୟାନ୍ସଙ୍କ ଆଶା ଶେଷ ହୋଇଛି। ଦୁଇ ଦଳ ନିଜ ନିଜ ସେମିଫାଇନାଲ୍ ଜିତିଲେ ଗୋଲ୍ଡ ମେଡାଲ୍ ପାଇଁ ଭାରତ-ପାକିସ୍ତାନ ମୁକାବିଲା ହୋଇଥାନ୍ତା। କିନ୍ତୁ ୨୦ ସେପ୍ଟେମ୍ବରରେ ଖେଳାଯାଇଥିବା ଦୁଇ ସେମିଫାଇନାଲ୍ ପରେ ଫାଇନାଲ୍ର ସମୀକରଣ ବଦଳିଯାଇଛି।
ପ୍ରଥମ ସେମିଫାଇନାଲ୍ରେ ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୭ ରନ୍ କରିଥିଲା। ଆୟେଶା ଜାଫର ୭୧ ଓ ଶାୱାଲ ଜୁଲଫିକାର ୫୪ ରନ୍ କରିଥିଲେ।
୧୭୮ ରନ୍ର ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ମାତ୍ର ୧୭.୫ ଓଭରରେ ୨ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା। ଅଧିନାୟିକା ଚମାରୀ ଅଥାପଥ୍ଥୁ ଅପରାଜିତ ୮୩ ରନ୍ର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ। ଏହି ୮ ୱିକେଟ୍ ବିଜୟ ସହ ଶ୍ରୀଲଙ୍କା ଗୋଲ୍ଡ ମେଡାଲ୍ ମ୍ୟାଚ୍ରେ ସ୍ଥାନ ପକ୍କା କରିଛି। ଏହି ପରାଜୟ ପରେ ପାକିସ୍ତାନ ଗୋଲ୍ଡ ମେଡାଲ୍ର ଦୌଡ଼ରୁ ବାହାରିଛି। ତେବେ ବ୍ରୋଞ୍ଜ ମେଡାଲ୍ ପାଇଁ ଦଳ ଖେଳିବ।
ଦ୍ୱିତୀୟ ସେମିଫାଇନାଲ୍ରେ ଭାରତର ସାମ୍ନା ହୋଇଥିଲା ବାଂଲାଦେଶ ସହ। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନ୍ର ବଡ଼ ସ୍କୋର କରିଥିଲା। ଶେଫାଳୀ ବର୍ମା ଜବରଦସ୍ତ ଶତକ ହାସଲ କରି ଭାରତର ବଡ଼ ସ୍କୋରରେ ପ୍ରମୁଖ ଭୂମିକା ନେଇଥିଲେ।





