
ବିଶ୍ୱକର୍ମା ପୂଜା ପ୍ରତିବର୍ଷ ଓଡ଼ିଶା ସମେତ ସାରା ଦେଶରେ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ। ହିନ୍ଦୁ ଶାସ୍ତ୍ର ଓ ପଞ୍ଚାଙ୍ଗ ଅନୁସାରେ, ପ୍ରତିବର୍ଷ ସୌର ମାସର କନ୍ୟା ସଂକ୍ରାନ୍ତିରେ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ହୋଇଥିଲା। ତାଙ୍କୁ ସୃଷ୍ଟିର ପ୍ରଥମ ଶିଳ୍ପୀ, ବାସ୍ତୁକାର ବା ପ୍ରଥମ ଇଞ୍ଜିନିୟର ବୋଲି କୁହାଯାଏ।
ପୌରାଣିକ ମାନ୍ୟତା ଓ କାହାଣୀ ରହିଛି
ସୃଷ୍ଟିର ନିର୍ମାତା ଓ ବ୍ରହ୍ମାଙ୍କ ସହ ସମ୍ପର୍କ
ପୌରାଣିକ କଥା ଅନୁଯାୟୀ, ଭଗବାନ ବିଶ୍ୱକର୍ମା ହେଉଛନ୍ତି ସମଗ୍ର ବ୍ରହ୍ମାଣ୍ଡର ନକ୍ସା ପ୍ରସ୍ତୁତକାରୀ ଏବଂ ବାସ୍ତୁଶିଳ୍ପୀ। କିଛି ପୁରାଣରେ ତାଙ୍କୁ ସ୍ୱୟଂ ବ୍ରହ୍ମାଙ୍କର ଅଂଶ ବା ବ୍ରହ୍ମାରୂପେ କଳ୍ପନା କରାଯାଇଥିବା ବେଳେ, ଅନ୍ୟ କେତେକ ସ୍ଥାନରେ ସେ ବ୍ରହ୍ମାଙ୍କର ସପ୍ତମ ପୁତ୍ର ଭାବରେ ବର୍ଣ୍ଣିତ। ଭଗବାନ ବିଷ୍ଣୁଙ୍କ ନାଭି କମଳରୁ ବ୍ରହ୍ମା ସୃଷ୍ଟି ହେବା ପରେ, ସୃଷ୍ଟିର ସନ୍ତୁଳନ ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ବିଭିନ୍ନ ଲୋକ ଓ ସ୍ଥାପତ୍ୟର ନିର୍ମାଣ କରିଥିଲେ।
ଦେବତାମାନଙ୍କର ପ୍ରସିଦ୍ଧ ନଗରୀ ନିର୍ମାଣ
ଭଗବାନ ବିଶ୍ୱକର୍ମା ପୁରାଣ ପ୍ରସିଦ୍ଧ ଅନେକ ଚମତ୍କାର ନଗରୀ ଓ ରାଜପ୍ରାସାଦ ନିର୍ମାଣ କରିଛନ୍ତି। ସତ୍ୟଯୁଗର ସ୍ୱର୍ଗ ଲୋକ:- ଦେବରାଜ ଇନ୍ଦ୍ରଙ୍କ ବାସଭବନ ଓ ଅମରାବତୀ ନଗରୀର ସମସ୍ତ ନିର୍ମାଣ ସେ କରିଥିଲେ।
ତ୍ରେତୟା ଯୁଗର ସ୍ୱର୍ଣ୍ଣ ଲଙ୍କା:- ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବାସ ଗୃହ ପାଇଁ ବିଶ୍ୱକର୍ମା ସୁନା ମହଲ ତଥା ସ୍ୱର୍ଣ୍ଣ ଲଙ୍କା ତିଆରି କରିଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ରାବଣ ଦାନ ସ୍ବରୂପ ନେଇଯାଇଥିଲା।
ଦ୍ୱାପର ଯୁଗର ଦ୍ୱାରକା ନଗରୀ:- ଭଗବାନ ଶ୍ରୀକୃଷ୍ଣଙ୍କ ଅନୁରୋଧ କ୍ରମେ ସେ କେବଳ ଗୋଟିଏ ରାତି ମଧ୍ୟରେ ସମୁଦ୍ର ମଧ୍ୟରେ ସୁରକ୍ଷିତ ଓ ବୈଭବଶାଳୀ ଦ୍ୱାରକା ନଗରୀ ନିର୍ମାଣ କରିଥିଲେ।
ହସ୍ତିନାପୁର ଓ ଇନ୍ଦ୍ରପ୍ରସ୍ଥ:- ମହାଭାରତ କାଳରେ ପାଣ୍ଡବମାନଙ୍କ ପାଇଁ ଅଲୌକିକ ସ୍ଥାପତ୍ୟ କଳାର ପ୍ରତୀକ ‘ଇନ୍ଦ୍ରପ୍ରସ୍ଥ’ ଭବନ ମଧ୍ୟ ସେ ତିଆରି କରିଥିଲେ।
ଅସ୍ତ୍ରଶସ୍ତ୍ର ଓ ଯାନବାହନର ଡିଜାଇନର୍
କେବଳ ପ୍ରାସାଦ ନୁହେଁ, ଦେବତାମାନଙ୍କ ଶକ୍ତିଶାଳୀ ଅସ୍ତ୍ର ମଧ୍ୟ ବିଶ୍ୱକର୍ମା ପ୍ରସ୍ତୁତ କରିଛନ୍ତି। ମହର୍ଷି ଦଧିଚିଙ୍କ ଅସ୍ଥିରୁ ପ୍ରସ୍ତୁତ ଇନ୍ଦ୍ରଙ୍କ ବଜ୍ର, ଭଗବାନ ଶିବଙ୍କ ତ୍ରିଶୂଳ, ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ଏବଂ କୁବେରଙ୍କର ପୁଷ୍ପକ ବିମାନ ସବୁ ଭଗବାନ ବିଶ୍ୱକର୍ମାଙ୍କ କାରିଗରିର ଶ୍ରେଷ୍ଠ ନିଦର୍ଶନ।
ଓଡ଼ିଶା ସହ ସମ୍ପର୍କ (ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ)
ଓଡ଼ିଶାର ସଂସ୍କୃତି ସହ ମଧ୍ୟ ବିଶ୍ୱକର୍ମାଙ୍କ ପୌରାଣିକ ସମ୍ପର୍କ ଅତି ନିବିଡ଼। ମାନ୍ୟତା ରହିଛି ଯେ, ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦାରୁ ବିଗ୍ରହ ନିର୍ମାଣ ପାଇଁ ସେ ଜଣେ ବୃଦ୍ଧ କାରିଗର (ମହାରାଣା) ରୂପରେ ମର୍ତ୍ତ୍ୟମଣ୍ଡଳକୁ ଆସିଥିଲେ ଏବଂ ଗୁପ୍ତ କୋଠରୀରେ ଶ୍ରୀବିଗ୍ରହ ଗଢ଼ିଥିଲେ।





