
ନୂଆଦିଲ୍ଲୀ : ଆଗାମୀ ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)। ଏହା ପୂର୍ବରୁ ବୋର୍ଡ ଦେଶର ସମସ୍ତ ସଂଲଗ୍ନ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଯାଞ୍ଚ କରିବାକୁ କହିଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ତଥ୍ୟ ଓ ସେମାନେ ଚୟନ କରିଥିବା ବିଷୟର ତଥ୍ୟ ଦାଖଲ କରିବା ସମୟରେ ସ୍କୁଲଗୁଡ଼ିକୁ ବିଶେଷ ସାବଧାନ ରହିବାକୁ ପଡ଼ିବ। ତଥ୍ୟ ଦାଖଲ ପୂର୍ବରୁ ସମସ୍ତ ବିବରଣୀ ଭଲ ଭାବେ ଯାଞ୍ଚ କରିବାକୁ ସିବିଏସ୍ଇ ନିର୍ଦ୍ଦେଶ ଦେଇଛି।
ସିବିଏସ୍ଇ କହିଛି ଯେ, ପୂର୍ବରୁ ଅନେକଥର ସୂଚନା ଦିଆଯାଇଥିଲେ ମଧ୍ୟ କିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଓ ବିଷୟ ସମ୍ପର୍କିତ ତଥ୍ୟରେ ଭୁଲ କରୁଛନ୍ତି। କିଛି ସ୍କୁଲ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆବଶ୍ୟକ ତଥ୍ୟ ଦାଖଲ ମଧ୍ୟ କରୁନାହାନ୍ତି। ନାମ, ଜନ୍ମ ତାରିଖ, ଅଭିଭାବକଙ୍କ ନାମ କିମ୍ବା ବିଷୟରେ ଛୋଟ ଭୁଲ ମଧ୍ୟ ପରେ ପରୀକ୍ଷା ସମୟରେ ସମସ୍ୟା ସୃଷ୍ଟି କରିପାରେ। ତେଣୁ ତଥ୍ୟ ଦାଖଲ ପୂର୍ବରୁ ସ୍କୁଲଗୁଡ଼ିକୁ ଏହାକୁ ଭଲ ଭାବେ ଯାଞ୍ଚ କରିବାକୁ ବୋର୍ଡ କହିଛି।





