
ଜାପାନ : ଜାପାନ : ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଜାପାନର ଦକ୍ଷିଣ ଅଞ୍ଚଳ କ୍ୟୁଶୁରେ ଆଜି ୭.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ କୁମାମୋଟୋ ପ୍ରିଫେକ୍ଚର ନିକଟରେ ଥିଲା। ଜାପାନ ପାଣିପାଗ ସଂସ୍ଥା ଦ୍ୱାରା ଏହି ସୂଚନା ପ୍ରକାଶ କରାଯାଇଛି । ବର୍ତ୍ତମାନ ଏହି ଭୂକମ୍ପ ଯୋଗୁଁ କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ସୂଚନା ମିଳିନାହିଁ । କ୍ରମାଗତ ଭୂମିକମ୍ପ ଯୋଗୁଁ ମାଟି ଅତଡ଼ା ଖସିବାର ଆଶଙ୍କା ବୃଦ୍ଧି ପାଇଛି । ଏଥିସହ ଭୂକମ୍ପ ଝଟକା ସମସ୍ତଙ୍କ ଚିନ୍ତାକୁ ବଢାଇଦେଇଛି ।
ଜାପାନ ସରକାର ଦକ୍ଷିଣ କ୍ୟୁଶୁ ଦ୍ୱୀପରେ ଅବସ୍ଥିତ କୁମାମୋଟୋ, ନାଗାସାକି, କାଗୋସିମା, ଫୁକୁଓକା, ସାଗା, ଓଇଟା ଏବଂ ମିୟାଜାକି ପ୍ରାନ୍ତ ପାଇଁ ଏକ ଜରୁରୀକାଳୀନ ଭୂମିକମ୍ପ ସତର୍କତା ଜାରି କରିଛନ୍ତି। ଜାପାନୀ ଭୂକମ୍ପ ତୀବ୍ରତା ସ୍କେଲରେ ଭୂମିକମ୍ପର ସର୍ବାଧିକ ତୀବ୍ରତା ‘ସିଣ୍ଡୋ 7’ ରେକର୍ଡ କରାଯାଇଛି। ଏହା ସୂଚିତ କରେ ଯେ ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ ଲୋକଙ୍କ ପାଇଁ ଠିଆ ହେବା ମଧ୍ୟ କଷ୍ଟକର ଥିଲା । ଭୂମିକମ୍ପ ସମୟରେ, ଅନେକ କୋଠାଘର ଦୋହଲି ଯାଇଥିଲା। ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ସାମ୍ନାକୁ ଆସିପାରି ନାହିଁ । ଭୂମିକମ୍ପ ପରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

