odisha24 Live

Latest News

Latest News

ରାୟାନ୍ ଟେନ୍ ଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ : ପୂର୍ବତନ ନେଦରଲ୍ୟାଣ୍ଡ କ୍ରିକେଟର ରାୟାନ୍ ଟେନ୍ ଡୋଏସ୍କାଟେଙ୍କୁ ମିଳିଛି ଗୁରୁତ୍ୱପୃର୍ଣ୍ଣ ଦାୟିତ୍ୱ । କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର କ୍ରିକେଟ୍ ଷ୍ଟ୍ରାଟେଜି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଟେନ୍ ଡୋଏସ୍କାଟେ ଏବଂ ଫିଲ୍ଡିଂ କୋଚ୍ ଟି. ଦିଲୀପ ଏବେ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍ ଭାବେ ଆଉ କାମ କରିବେ ନାହିଁ। ବିସିସିଆଇ ସ୍ପଷ୍ଟ କରିଛି ଯେ, ସେମାନଙ୍କ କାର୍ଯ୍ୟକାଳକୁ ଆଗକୁ ବଢ଼ାଯିବ ନାହିଁ। ଟେନ୍ ଡୋଏସ୍କାଟେ ଏବେ (କେକେଆର) ଫ୍ରାଞ୍ଚାଇଜରେ ନୂଆ ଭୂମିକା ନେବେ। ସେ ଦଳର କ୍ରିକେଟ୍ ରଣନୀତି, ପ୍ରତିଭା ଚୟନ ଏବଂ ବିଶ୍ୱର ବିଭିନ୍ନ (କେକେଆର) ଟିମ୍‌ର ବିକାଶ ଦାୟିତ୍ୱ ଦେଖିବେ। ସେ ସ୍କାଉଟିଂ, ଖେଳାଳି ଚୟନ, ଦଳ ଗଠନ ଯୋଜନା ଏବଂ ଖେଳାଳିଙ୍କ ପ୍ରଦର୍ଶନ ମୂଲ୍ୟାଙ୍କନ ଭଳି ରଣନୀତିକ କାର୍ଯ୍ୟର ନେତୃତ୍ୱ ନେବେ। କେକେଆରର ବିଭିନ୍ନ କୋଚିଂ ଟିମ୍ ସହ କାମ କରି ଏକ ସମାନ କ୍ରିକେଟ୍ ଚିନ୍ତାଧାରା ଓ ଖେଳ ଶୈଳୀ ଗଢ଼ିବାରେ ସହଯୋଗ କରିବେ। ଏହା ସହ ସେ କାରିବିଆନ୍ ପ୍ରିମିୟର ଲିଗ୍ (ସି ପି ଏଲ)ର ଟ୍ରିନବାଗୋ ନାଇଟ୍ ରାଇଡର୍ସ, ଆଇଏଲଟି ୨୦ର ଆବୁଧାବି ନାଇଟ୍ ରାଇଡର୍ସ ଏବଂ ଏମଏଲସି ର ଲସ୍ ଆଞ୍ଜେଲସ୍ ନାଇଟ୍ ରାଇଡର୍ସ ପାଇଁ ସହକାରୀ କୋଚ୍ ଭାବେ ମଧ୍ୟ କାମ କରିବେ। କେକେଆର ପକ୍ଷରୁ ଜାରି ବିବୃତିରେ ଟେନ୍ ଡୋଏସ୍କାଟେ କହିଛନ୍ତି, “ବିଶ୍ୱର ବିଭିନ୍ନ ଫ୍ରାଞ୍ଚାଇଜ୍‌ର କୋଚିଂ ଓ ଆନାଲିଟିକ୍ସ ଟିମ୍ ସହ କାମ କରିବାର ଏହା ଏକ ବିଶେଷ ସୁଯୋଗ। ଏହା ଦ୍ୱାରା ଖେଳାଳି ଚୟନ ଓ ବିକାଶ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ସହ ଦୀର୍ଘମିଆଦି କ୍ରିକେଟ୍ ରଣନୀତି ତିଆରି କରାଯାଇପାରିବ।”ନାଇଟ୍ ରାଇଡର୍ସ ସ୍ପୋର୍ଟସର ସିଇଓ ଭେଙ୍କି ମହୀଶୂର କହିଛନ୍ତି ଯେ, ଟେନ୍ ଡୋଏସ୍କାଟେଙ୍କର ଫ୍ରାଞ୍ଚାଇଜ୍ ଓ ଆନ୍ତର୍ଜାତୀୟ କ୍ରିକେଟ୍ ଅଭିଜ୍ଞତା ତାଙ୍କୁ ଏହି ଭୂମିକା ପାଇଁ ଉପଯୁକ୍ତ କରିଛି।

Share In Social Media
Scroll to Top