odisha24 Live

Latest News

Latest News

ଅଡ଼ୁଆରେ ଇଣ୍ଡୋନେସିଆ ସରକାର : ପଦ ଛାଡ଼ିଲେ ଉପରାଷ୍ଟ୍ରପତି ଗିବ୍ରାନ୍ ରାକା

ଇଣ୍ଡୋନେସିଆ : ଇଣ୍ଡୋନେସିଆ ରାଜନୀତିରେ ଏକ ବଡ଼ ଧରଣର ସଙ୍କଟ ଦେଖାଦେଇଛି । ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜିବ୍ରାନ୍‌ ରାକାବୁମିଙ୍ଗ ରାକା। ଦେଶର ସଂସଦର ଉଚ୍ଚ ସଦନର ବାଚସ୍ପତି ଅହମଦ୍‌ ମୁଜାନି ଏହି ଇସ୍ତଫା ନେଇ ସୂଚନା ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ପୁଅ ଜିବ୍ରାନ୍‌ଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଦେଖାଦେବା ପରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଜିବ୍ରାନ୍‌ ନିଜ ଇସ୍ତଫା ସମ୍ପର୍କରେ ରାଷ୍ଟ୍ରପତି ପ୍ରାବୋୱୋ ସୁବିଆଣ୍ଟୋଙ୍କୁ ଜଣାଇଥିଲେ। ରାଷ୍ଟ୍ରପତି ମଧ୍ୟ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଥିବା ମାମଲା ସମ୍ପର୍କରେ ଅବଗତ ବ୍ୟକ୍ତିମାନେ କହିଛନ୍ତି। ତାଙ୍କ ଇସ୍ତଫା ପରେ ୨୦୨୯ରେ ଶେଷ ହେବାକୁ ଥିବା କାର୍ଯ୍ୟକାଳ ପାଇଁ ନୂଆ ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା ଆରମ୍ଭ ହେବ ।

ଜିବ୍ରାନ୍‌ଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦୀର୍ଘଦିନ ଧରି ପ୍ରଶ୍ନ ଉଠୁଥିଲା। ଆସୋସିଏଟେଡ୍‌ ପ୍ରେସ୍‌ (AP) ରିପୋର୍ଟ ଅନୁଯାୟୀ, ଗତ ମାସରେ ଇଣ୍ଡୋନେସିଆର ସର୍ବୋଚ୍ଚ ଅଦାଲତ ରାୟ ଦେଇଥିଲେ ଯେ, ବିଦେଶରେ ତାଙ୍କ ଶିକ୍ଷା ସମ୍ପର୍କରେ ଦାଖଲ କରାଯାଇଥିବା ଦସ୍ତାବିଜ୍‌ ନିର୍ବାଚନୀ ଯୋଗ୍ୟତା ସର୍ତ୍ତ ପୂରଣ କରୁନାହିଁ । ଏହାପରେ ବୁଧବାର ଆଠଟି ରାଜନୈତିକ ଦଳର ୧୨୦ ଜଣ ସାଂସଦ ସଂସଦୀୟ ନେତୃତ୍ୱଙ୍କ ନିକଟରେ ଏକ ଆବେଦନ ଦାଖଲ କରିଥିଲେ । ଏହାଦ୍ୱାରା ତାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହେବାର ଆଶଙ୍କା ଦେଖାଦେଇଥିଲା।

ଇଣ୍ଡୋନେସିଆର ସମ୍ବିଧାନ ଅନୁଯାୟୀ, ଉପରାଷ୍ଟ୍ରପତି ପଦ ଖାଲି ହେଲେ ସିଧାସଳଖ ନିର୍ବାଚନ ହୁଏ ନାହିଁ। ରାଷ୍ଟ୍ରପତି ଦୁଇଜଣ ପ୍ରାର୍ଥୀଙ୍କ ନାମ ପ୍ରସ୍ତାବ କରିବେ। ଏହାପରେ ପିପୁଲ୍ସ କନସଲଟେଟିଭ୍‌ ଆସେମ୍ବଲି ସେମାନଙ୍କ ମଧ୍ୟରୁ ଜଣଙ୍କୁ ନୂଆ ଉପରାଷ୍ଟ୍ରପତି ଭାବେ ଚୟନ କରିବ। ଏହି ପ୍ରକ୍ରିୟା ୬୦ ଦିନ ମଧ୍ୟରେ ଶେଷ ହେବାର ନିୟମ ରହିଛି।

୨୦୨୪ ନିର୍ବାଚନରେ ଜିବ୍ରାନ୍‌ ରାଷ୍ଟ୍ରପତି ପ୍ରାବୋୱୋଙ୍କ ସହ ବିଜୟୀ ହୋଇଥିଲେ। ତେବେ ଜିବ୍ରାନ୍‌ଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବା ପାଇଁ ତାଙ୍କ ବାପା ତଥା ତତ୍କାଳୀନ ରାଷ୍ଟ୍ରପତି ଜୋକୋ ୱିଡୋଡୋ ନିର୍ବାଚନୀ ନିୟମ ବଦଳାଇବାରେ ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଥିଲା। ବିଭିନ୍ନ ରିପୋର୍ଟ ଅନୁଯାୟୀ, ଜିବ୍ରାନ୍‌ଙ୍କ ଇସ୍ତଫା ଏପରି ଏକ ସମୟରେ ଆସିଛି, ଯେତେବେଳେ ରାଷ୍ଟ୍ରପତି ପ୍ରାବୋୱୋ ଓ ଜୋକୋ ୱିଡୋଡୋଙ୍କ ମଧ୍ୟରେ ମତଭେଦ ବଢ଼ୁଥିବା ଚର୍ଚ୍ଚା ହେଉଛି।

Share In Social Media
Scroll to Top