
ଇରାନ :ଆକାଶମାର୍ଗରେ ଉଡ଼ାଣ ଭରୁଥିବା ବେଳେ ହଠାତ୍ ଯଦି ଚକା ଖସିପଡ଼େ, ତେବେ ଯାତ୍ରୀଙ୍କ ଅବସ୍ଥା କ’ଣ ହେବ ତାହା ଆପଣ କଳ୍ପନା କରିପାରୁଥିବେ । ଠିକ୍ ଏମିତି ଏକ ଛାତିଥରା ଘଟଣା ଇରାନରେ ଦେଖିବାକୁ ମିଳିଛି। ତେହେରାନର ସେପେହରାନ ଏୟାରଲାଇନ୍ସର ଏକ ବୋଇଙ୍ଗ୍ ୭୩୭ ବିମାନ ମଶହଦରୁ ଉଡ଼ାଣ ଭରିଥିଲା, କିନ୍ତୁ ଏହାକୁ କିଛି ସମୟ ପରେ ପୁଣି ଏୟାରପୋର୍ଟରେ ଅବତରଣ କରିବାକୁ ପଡ଼ିଥିଲା।
ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଏହାର ଗୋଟିଏ ଚକ ଅଲଗା ହୋଇଯାଇଥିଲା, ଯାହା ପରେ ଇଞ୍ଜିନରେ ତ୍ରୁଟି ଦେଖାଦେଇଥିଲା। ବିମାନକୁ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ଏହାକୁ ପୁଣିଥରେ ମଶହଦ ଏୟାରପୋର୍ଟରେ ସଫଳତାର ସହିତ ଅବତରଣ କରାଯାଇଥିଲା।
‘ସିଏନ୍ଏନ୍’ ର ରିପୋର୍ଟ ଅନୁସାରେ, ଉଡ଼ାଣ ସମୟରେ ବିମାନର ଗୋଟିଏ ଚକ ଅଲଗା ହୋଇଯାଇଥିଲା। ଏହା ମଧ୍ୟ ଦାବି କରାଯାଉଛି ଯେ ଚକ ଅଲଗା ହେବା ପୂର୍ବରୁ ତାହା ଫାଟିଯାଇଥିଲା। ଏହା ପରେ ଇଞ୍ଜିନରେ ଖରାବି ଦେଖାଦେବାରୁ ସମଗ୍ର ବିମାନଟି ଭୀଷଣ ଭାବରେ ଥରିବାକୁ ଲାଗିଥିଲା। ବିମାନରେ ବସିଥିବା ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିଲେ। ବିମାନ ଥରିବା କାରଣରୁ ଭିତରେ ଥିବା ଛାତର କିଛି ଅଂଶ ଭାଙ୍ଗି ପଡ଼ିଥିଲା। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।





