
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଦେଇଥିବା ବିବାଦୀୟ ବୟାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ନିନ୍ଦା କରିଛନ୍ତି। ବିହାରର ପାଟଣାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଖଡ୍ଗେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସ୍ଵର୍ଗତ ପିତାଙ୍କୁ ଆକ୍ଷେପ କରି “ମୋଦି କା ବାପ୍ ଭି ଯାଏଗା” ବୋଲି ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ସାରା ଦେଶରେ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି।
ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କଂଗ୍ରେସ ଓ ଖଡ୍ଗେଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସ୍ଵର୍ଗତ ପିତାଙ୍କୁ ଏହି ନିର୍ବାଚନୀ ସଭା ମଧ୍ୟକୁ ଟାଣି ଖଡ୍ଗେ କଂଗ୍ରେସ ଦଳର ସଂପୂର୍ଣ୍ଣ ବୌଦ୍ଧିକ ଓ ମାନସିକ ଦେବାଳିଆପଣର ପରିଚୟ ଦେଇଛନ୍ତି। ଯେତେବେଳେ ବିରୋଧୀଙ୍କ ପାଖରେ କୌଣସି ଜନହିତକର ବିକାଶମୂଳକ କାର୍ଯ୍ୟସୂଚୀ କିମ୍ବା ଶାସନର ରେକର୍ଡ ଉପସ୍ଥାପନ କରିବାକୁ ନଥାଏ, ସେତେବେଳେ ବ୍ୟକ୍ତିଗତ ଗାଳିଗୁଲଜ ଓ ଆକ୍ଷେପ ହିଁ ସେମାନଙ୍କର ଏକମାତ୍ର ଇସ୍ତାହାର ପାଲଟିଯାଏ।





