
ଜାକର୍ତ୍ତା : ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍ଗିରଣ ହୋଇଛି। ବିସ୍ଫୋରଣ ପରେ ଆକାଶକୁ ଦୁଇଟି ଧୂମ କୁଣ୍ଡଳି ଉଠିଥିଲା। ଏଥିରୁ ଗୋଟିଏ ପାଖାପାଖି ୨୦ ହଜାର ଫୁଟ ଉଚ୍ଚ ହୋଇଥିବା ବେଳେ ଅନ୍ୟଟି ୫୦ ହଜର ଫୁଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ବାୟୁମଣ୍ଡଳରେ ପାଉଁଶ ଭରିବା ଯୋଗୁ ଜାକାର୍ତ୍ତାର ସୋଏକାର୍ଣ୍ଣୋ-ହଟ୍ଟା ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ବନ୍ଦ କରିଦିଆଯାଇଥିଲା। ଏହି ଆଗ୍ନେୟଗିରି ଜାଭା ଓ ସୁମାତ୍ରା ଦ୍ୱୀପ ମଧ୍ୟବର୍ତ୍ତୀ ସୁଣ୍ଡା ପ୍ରଣାଳୀରେ ରହିଛି। ଭୂ-ବୈଜ୍ଞାନିକ ସଂସ୍ଥାଙ୍କ ଅନୁସାରେ ଆଗ୍ନେୟଗିରିରେ ଗତ ଶୁକ୍ରବାରଠାରୁ ହଲଚଲ ଆରମ୍ଭ ହୋଇଥିଲା।
ରବିବାର ଭୋର ୩ଟା ୫୩ ମିନିଟରେ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଆଗ୍ନେୟଗିରିରେ ବିସ୍ଫୋରଣ ହୋଇଥିଲା। ମନିଟରିଂ ପାଇଁ ଲଗାଯାଇଥିବା କ୍ୟାମେରାରେ ଲାଭାର ଚମକ୍ ମଧ୍ୟ ରେକର୍ଡ କରାଯାଇଛି। ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସକ୍ରିୟ ଆଗ୍ନେୟଗିରିଠୁ ଅନୁନ୍ୟ ୩ କିଲୋମିଟର ଦୂରରେ ରହିବାକୁ ସତର୍କ କରିଛି। ଆଗ୍ନେୟଗିରି ବିସ୍ଫୋରଣ ପରେ ବାହାରି ଥିବା ପାଉଁଶ ଦୁଇ ଦିଗକୁ ବ୍ୟାପିଛି।
ବାୟୁମଣ୍ଡଳରେ ପାଉଁଶ ଭରିଯିବା ଯୋଗୁ ବିପଦକୁ ନଜରରେ ରଖି ସୋଏକର୍ଣ୍ଣ-ହଟ୍ଟା ଏୟାରପୋର୍ଟକୁ ଭୋର୫ଟା ୩୦ ମିନିଟ୍ ରୁ ସକାଳ ସାଢେ ୯ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। ବିମାନ ବନ୍ଦର ଅସ୍ଥାୟୀ ବନ୍ଦ କାରଣରୁ ରବିବାର ୨୦୯ଟି ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା। ଏବେ ପ୍ରାୟ ୧୫୫୮ଟି ବିମାନକୁ ବାତିଲ କରାଯାଇଛି । ଫଳରେ ଲକ୍ଷେ ୭୦ ହଜାରରୁ ଅଧିକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି ।





