odisha24 Live

Latest News

Latest News

ଶେଷ ମ୍ୟାଚ୍ ଜିତି ଶୃଙ୍ଖଳା ପୋଛିବାକୁ ଭାରତର ରଣନୀତି

ନୂଆଦିଲ୍ଲୀ : ଭାରତ-ଆଫ୍‌ଗାନିସ୍ତାନ ଟ୍ବେଣ୍ଟି୨୦ ଶୃଙ୍ଖଳାର ଫଇସଲା ହୋଇଯାଇଛି। ପ୍ରଥମ ୨ଟି ମ୍ୟାଚ୍‌କୁ ସହଜରେ ଜିତି ଭାରତ ୨-୦ରେ ଆଗୁଆ ହୋଇ ୩ ମ୍ୟାଚ୍‌ର ଶୃଙ୍ଖଳାକୁ ହାତେଇ ନେଇଛି। ପ୍ରଥମ ୨ଟି ମ୍ୟାଚ୍‌​ରେ ବହୁତ କିଛି ସମାନତା ଥିଲା। ଉଭୟ ମ୍ୟାଚ୍‌କୁ ଭାରତ ୭ ୱିକେଟ୍‌ରେ ଜିତିଥିଲା। ଏହି ୨ଟି ମ୍ୟାଚ୍‌ରେ ଭାରତ ୧୫୭ ଓ ୧୬୦ ରନ୍‌ର ପିଛା କରିଥିଲା। ଦୁଇ ମ୍ୟାଚ୍‌ରେ ୩୮ଟି ଓ ୩୧ଟି ବଲ୍‌ ବାକିଥାଇ ଭାରତ ଜିତିଥିଲା। ଗୁରୁବାର ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଅଦ୍ୟାବଧି ଉଭୟ ଦଳର ପ୍ରଦର୍ଶନକୁ ଦେଖି ଭାରତ ୩-୦ରେ ଶୃଙ୍ଖଳା ପୋଛିବା ଲାଗି ଫେଭରିଟ୍‌। ଗୁରୁବାର କିଛି ଭିନ୍ନ ଦେଖିବାକୁ ମିଳିବ କି ନାହିଁ; ତାହା ସମୟ କହିବ। ଅନ୍ୟପକ୍ଷରେ ଭାରତ ବିପକ୍ଷରେ ତା’ର ସର୍ବପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତିବା ଲକ୍ଷ୍ୟ​ରେ ଆଫ୍‌ଗାନିସ୍ତାନ ଓହ୍ଲାଇବ। ପ୍ରଥମ ୨ଟି ଟି୨୦ରେ ଭାରତ ରନ୍‌ର ପିଛା କରିଥିବା ବେଳେ ୩ୟ ମ୍ୟାଚ୍‌ରେ ଏହା ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବ। କାରଣ ଅଦ୍ୟାବଧି ଭାରତର ମାତ୍ର ୫ ବ୍ୟାଟ୍‌ସମ୍ୟାନ ବ୍ୟାଟିଂର ସୁଯୋଗ ପାଇଛନ୍ତି।
ଶୃଙ୍ଖଳା ହାତେଇ ଥିବାରୁ ଭାରତ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେବା କଥା ବିଚାର କରିପାରେ। ଅଲ୍‌ରାଉଣ୍ଡର ଶିବମ୍ ଦୁବେଙ୍କ ସ୍ଥାନରେ ଭାରତ ପେସ୍‌ ବୋଲର ଯଶ ଠାକୁରଙ୍କୁ ଖେଳାଇପାରେ। ପୁଣି ୧୫ ବର୍ଷ ବୟସ୍କ ବୈଭବ ସୂର୍ଯ୍ୟବଂଶୀଙ୍କୁ ଘରୋଇ ମାଟିରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିପାରେ। ଏପରି ହେଲେ ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରର ଖେଳାଳି ଭାବେ ଭାରତରେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାରେ ସର୍ବକନିଷ୍ଠ ହେବେ। ଆଫ୍‌ଗାନିସ୍ତାନ ଚାହିଁବ ଯେ ପେସ୍‌ ବୋଲର ନବୀନ ଉଲ୍‌ ହକ୍‌ ଏହି ମ୍ୟାଚ୍‌ ଖେଳି ନୂଆ ବଲ୍‌ରେ ବୋଲିଂ କରନ୍ତୁ।
ଫଜଲ୍‌ହକ ଫାରୁକିଙ୍କୁ ନୂଆ ବଲ୍‌ ମିଳୁନାହିଁ। ପୁଣି ଫର୍ମରେ ଥିବା ଅଜ୍‌ମତୁଲ୍ଲା ଓମରଜାଇଙ୍କୁ ଉପର ଅର୍ଡରରେ ବ୍ୟାଟିଂ ପଠାଇବାକୁ ଆଫ୍‌ଗାନିସ୍ତାନ ଚାହିଁବ। ପ୍ରଥମ ୨ଟି ମ୍ୟାଚ୍‌ରେ ଦଳର ଶ୍ରେଷ୍ଠ ଓପ୍‌ନର ରହମନୁଲ୍ଲା ଗୁର୍‌ବାଜ ଜଲ୍‌ଦି ଆଉଟ୍‌ ହୋଇଥିବାରୁ ତାଙ୍କଠାରୁ ଦଳ ବଡ଼ ଇନିଂସର ଆଶା ରଖିଛି। ୨ୟ ମ୍ୟାଚ୍‌ରେ ଅଧିନାୟକ ତଥା ଓପ୍‌ନର ଇବ୍ରାହିମ୍‌ ଜାଦ୍ରାନ ଭଲ ବ୍ୟାଟିଂ କରିଥିଲେ ହେଁ ଅଧିକ ସମୟ ରହି ପାରିନଥିଲେ। ଅକ୍ଷର ପଟେଲଙ୍କ ବୋଲିଂ ଭାରତକୁ ଉତ୍ସାହିତ କରିଛି। ନବୀନ ଉଲ୍‌ ହକ୍‌ ଫିଟ୍‌ ଘୋଷିତ ହେଲେ ଫଜଲ୍‌ହକ ଫାରୁକିଙ୍କ ସ୍ଥାନରେ ଖେଳିବେ। ପୁଣି ଦୁଇ ସ୍ପିନର ମୁଜିବ୍ ଉର୍ ରେହ୍‌ମାନ ଓ ନୁର୍ ଅହମ୍ମଦଙ୍କ ମଧ୍ୟରୁ ଜଣଙ୍କୁ ବସାଇ ପେସ୍‌ ବୋଲର ଅବ୍‌ଦୋଲା ଅହମ୍ମଦଜାଇଙ୍କୁ ଖେଳାଇବା କଥା ଆଫ୍‌ଗାନିସ୍ତାନ ବିଚାର କରିପାରେ। ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ସୂଚନା ଦେଇଥିଲେ ଯେ ଅନ୍ତିମ ଟ୍ବେଣ୍ଟି୨୦ରେ ଏକାଦଶରେ କିଛି ପରିବର୍ତ୍ତନ ହେବ। ଉଭୟ ମ୍ୟାଚ୍‌ରେ ଦଳ ପାଇଁ ଦୁଇଟି ଶ୍ରେଷ୍ଠ ଇନିଂସ ଖେଳିଥିବା ଓପ୍‌ନର ଅଭିଷେକ ଶର୍ମା ଓ ସଞ୍ଜୁ ସାମ୍‌ସନଙ୍କୁ ବସାଇବାର ନିଷ୍ପତ୍ତି ଭାରତ ନେଇ ନ ପାରେ। ଫଳରେ ଭାରତରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବା ଲାଗି ବୈଭବ ସୂର୍ଯ୍ୟବଂଶୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ।

Share In Social Media
Scroll to Top