
ନୂଆଦିଲ୍ଲୀ : ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ । ଖ୍ରୀଷ୍ଟଚର୍ଚ୍ଚର ହେଗଲେ ଓଭାଲ୍ ମୈଦାନରେ ଖେଳାଯିବ । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ର ପ୍ରଥମ ମ୍ୟାଚ୍ ରେ ଭାରତ ୪ ୱିକେଟ୍ ରେ ଜିତି ୧-୦ ରେ ଆଗୁଆ ରହିଛି । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଟ୍ବେଣ୍ଟି-୨୦ ଜିତିବା ପରେ ଏବେ ଆଜି ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍ ଉପରେ ନଜର ରଖିଛି । ଏହି ମ୍ୟାଚ୍ ଜିତି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଆଗୁଆ ହେବାର ଲକ୍ଷ୍ୟ ରଖିଛି ଶ୍ରେୟସ ଆୟରଙ୍କ ଦଳ । ହେଲେ ଦଳ ପାଇଁ ଏବେ ବଡ଼ ଚିନ୍ତାର କାରଣ ହେଉଛି ଈଶାନ କିଶନଙ୍କ ଆହତ ଜନିତ ସମସ୍ୟା ।
ନ୍ୟୁଜିଲାଣ୍ଡ ବିଶାଳ ୨୨୫ରନ କରିଥିବାବେଳେ ଭାରତ ଏହାକୁ ସଫଳତାର ସହ ପିଛା କରି ବିଜୟୀ ହୋଇଥିଲା। ଓପନର ସଞ୍ଜୁ ସାମସନଙ୍କ ୬୭ ଓ ଅଭିଷେକ ଶର୍ମାଙ୍କ ୨୯ରନ ଭଲ ଆରମ୍ଭ ପରେ ଅଧିନାୟକ ଶ୍ରେୟସ ଆୟର ଓ ନମନ ଧିର ୪୨ ରନ ଲେଖାଏଁ ସ୍କୋର କରି ଭାରତର ବିଜୟକୁ ସୁଗମ କରିଥିଲା। ତିଲକ ବର୍ମା ବିଫଳ ହୋଇଥିବାବେଳେ ଅକ୍ଷର ପଟେଲ ୨୪ରନ କରିଥିଲେ। ଆହତ ପାଇଁ ଈଶାନ କିଷନ ଉକ୍ତ ଶୃଙ୍ଖଳାର ଅବଶିଷ୍ଟ ମ୍ୟାଚରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିବାର ଆଶା କରାଯାଉଛି। ଭାରତ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିବାବେଳେ ବୋଲିଂ ଚିନ୍ତାଜନକ ହୋଇଛି। ଭୁବନେଶ୍ବର କୁମାର ୪ ଓଭରରେ ୪୯ରନ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ହେଲେ ୱିକେଟ ପାଇନଥିଲେ। ଅର୍ଶଦୀପ୍ ସିଂହ ୪୫ରନରେ ଗୋଟିଏ ଓ ମୟଙ୍କ ଯାଦବ ୪୦ରନରେ ଗୋଟିଏ ୱିକେଟ ନେଇଥିଲେ। ଅକ୍ଷର ପଟେଲ ୫୧ରନ ଦେଇ ଗୋଟିଏ ୱିକେଟ ନେଇଥିଲେ। ପ୍ରଥମ ମ୍ୟାଚରେ ଭାରତ ଦୁର୍ବଳ ବୋଲିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଦ୍ବିତୀୟ ମ୍ୟାଚରେ ବୋଲିଂରେ ସେଭଳି ପରିବର୍ତ୍ତନ ନେଇ ଆଶା କରାଯାଉନାହିଁ।





