odisha24 Live

Latest News

Latest News

ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ନୂଆ ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର : ଦୁବାଇରେ ଓଡ଼ିଶାର ନିବେଶ ଅଭିଯାନକୁ ଜୋରଦାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୪ର୍ଥ ଦିନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ଦୁବାଇରେ ଆୟୋଜିତ ଏକ ରୋଡ୍‌ ଶୋ’ରେ ଯୋଗଦେଇ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରିଛନ୍ତି।
ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଓଡ଼ିଶା ନିବେଶକ ସମ୍ମିଳନୀ ୟୁଏଇ-୨୦୨୬ରେ ପ୍ରାୟ ୪ ଶହ ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧିମାନେ ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିବେଶ କରିବା ପାଇଁ ଓଡ଼ିଶାରେ ସବୁ ସୁବିଧା ଓ ସୁଯୋଗ ରହିଛି। ରାଜ୍ୟରେ ଉଚ୍ଚମାନର ଖଣିଜ ସମ୍ପଦ ସହ ବିସ୍ତୃତ ବେଳାଭୂମି ରହିଛି। ଓଡ଼ିଶାର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ନିବେଶ ଅନୁକୂଳ ପରିବେଶ ନିବେଶକମାନଙ୍କ ପାଇଁ ଆହୁରି ସମ୍ଭାବନାମୟ କରିଛି। ଏହାସହ ରାଜ୍ୟରେ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଓ କୁଶଳୀ ମାନବ ସମ୍ବଳ ଅଛି। ନିବେଶ ଅନୁକୂଳ ରାଜ୍ୟ ମଧ୍ୟରେ ଓଡ଼ିଶା ଟପ୍‌-୫ରେ ରହିଛି। ତେଣୁ ନିବେଶକମାନେ ଓଡ଼ିଶାକୁ ଆସିବା ଦରକାର ବୋଲି ସେ କହିଛନ୍ତି। ଏହାସହ ଏଲ୍‌ଏନ୍‌ଜି ଷ୍ଟୋରେଜ, ଗ୍ରୀନ୍‌ ଏନର୍ଜି, କୃତ୍ରିମ ବୁଦ୍ଧିମତ୍ତା ଡାଟା ସେଣ୍ଟର, ବିରଳ ମୃତ୍ତିକା, ଜାହାଜ ମରାମତି, ପ୍ରୋପେଲାଣ୍ଟ ଉତ୍ପାଦନ, ସାର ଓ ରସାୟନ, ହାଉସିଂ, ଷ୍ଟିଲ୍‌ ଓ ଡାଉନଷ୍ଟ୍ରିମ୍‌ ଶିଳ୍ପ ଭଳି କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ସେ ଆଲୋଚନା କରିଛନ୍ତି।
ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସରକାରଙ୍କ ସ୍ପିଡ୍‌, ସର୍ଟନିଟି ଆଣ୍ଡ ଏକ୍‌ଜିକ୍ୟୁଶନ ନୀତି ଉପରେ ଗୁରୁତ୍ୱ ଦେଇ ନିବେଶକମାନଙ୍କୁ ପ୍ରକଳ୍ପର ପ୍ରତ୍ୟେକ ପର୍ଯ୍ୟାୟରେ ସରକାରୀ ସହଯୋଗର ଆଶ୍ୱାସନା ଦେଇଛନ୍ତି। କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଭାରତୀୟ କୂଟନୈତିକ ପ୍ରତିନିଧି ଓ ୟୁଏଇର ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିଲେ। ଦୁବାଇ ରୋଡ୍‌ ଶୋ’ ଓଡ଼ିଶା-ୟୁଏଇ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ରାଜ୍ୟରେ ପୁଞ୍ଜିନିବେଶ, ପ୍ରଯୁକ୍ତି, ଶିଳ୍ପ ଓ ନିଯୁକ୍ତି ସୃଷ୍ଟି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ଏହାସହ ମୁଖ୍ୟମନ୍ତ୍ରୀ ବ୍ୟୁରୋ ଅଫ୍‌ ମିଡିଲ ଇଷ୍ଟ ରିସାଇକ୍ଲିଂ(ବିଏମ୍‌ଆର୍‌) ଆସୋସିଏସନ ଓ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ସହ ଶିଳ୍ପ ପ୍ରତିନିଧିମାନଙ୍କୁ ନେଇ ଏକ ରାଉଣ୍ଡଟେବୁଲ ଆଲୋଚନା କରିଛନ୍ତି। ଆଲୋଚନାରେ ରିସାଇକ୍ଲିଂ, ସର୍କୁଲାର ଇକୋନୋମି, ରିସୋର୍ସ ଏଫିସିଏନ୍ସି ଓ ଭାଲ୍ୟୁ ଆଡେଡ୍‌ ମାନୁଫ୍ୟାକ୍ଚରିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ବିକଶିତ ମେଟାଲ ଓ ମାନୁଫାକ୍ଚରିଂ ଇକୋସିଷ୍ଟମ୍‌କୁ ଆଧାରକରି ରିସାଇକ୍ଲିଂ, ସେକେଣ୍ଡାରି ମେଟାଲ ଓ ସର୍କୁଲାର ଇଣ୍ଡଷ୍ଟ୍ରିରେ ନିବେଶ ଓ ପ୍ରଯୁକ୍ତି ସହଯୋଗ ପାଇଁ ଶିଳ୍ପପତିମାନଙ୍କୁ ଓଡ଼ିଶା ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଦୁବାଇର ଜେବେଲ ଅଲୀ ସ୍ଥିତ ଏମିରେଟ୍ସ ଗ୍ଲୋବାଲ ଆଲୁମିନିୟମ(ଇଜିଏ)ର ଉତ୍ପାଦନ ପ୍ରଯୁକ୍ତି ଏବଂ ବିଶ୍ୱସ୍ତରୀୟ ଶିଳ୍ପ ପ୍ରଚଳନ ସମ୍ପର୍କରେ ଅବଗତ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନାଲ୍‌କୋ-ଇଜିଏ ଟେକ୍ନୋଲୋଜି ଲାଇସେନ୍ସ ଭାଗୀଦାରିତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ସହଭାଗିତା ମଧ୍ୟରେ ଇଜିଏର ବୈଷୟିକ ଦକ୍ଷତା ଏବଂ ଓଡ଼ିଶାରେ ନାଲ୍‌କୋର ଦୃଢ଼ ଆଲୁମିନିୟମ୍‌ ଉତ୍ପାଦନ ଭିତ୍ତି ଏକାଠିହେବ। ଏହି ଭାଗୀଦାରିତା ଆଲୁମିନିୟମ ଶିଳ୍ପର ଆଧୁନିକୀକରଣ, ଉତ୍ପାଦନ କ୍ଷମତା ବୃଦ୍ଧି, କମ୍‌ କାର୍ବନ ନିର୍ଗମନ ସହ ଉତ୍ପାଦନ ଏବଂ ଅଧିକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦନ ପ୍ରସ୍ତୁତିକୁ ସହାୟତା କରିବ। ସେହିପରି ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଦୁବାଇରେ ଓ୍ବାନ୍‌ ଡିଷ୍ଟ୍ରିକ୍‌, ଓ୍ବାନ୍‌ ପ୍ରଡକ୍ଟ ଗ୍ୟାଲେରିକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଗ୍ୟାଲେରିରେ ଓଡ଼ିଶାର ବିଭିନ୍ନ ଜିଲାର ସ୍ବତନ୍ତ୍ର କଳା ଓ ହସ୍ତଶିଳ୍ପ ସ୍ଥାନ ପାଇଛି। ଏଥିରେ ସମ୍ବଲପୁରୀ ଶାଢ଼ି, କଟକର ମାଣିଆବନ୍ଧ ହସ୍ତତନ୍ତ, କଟକର ରୁପା ତାରକସି, ରାୟଗଡ଼ାର ଡଙ୍ଗରିଆ ଶାଲ, କେନ୍ଦୁଝରର ଟେରାକୋଟା ମୂର୍ତ୍ତି, ବାଲେଶ୍ୱରର ବ୍ଲାକ୍‌ ଗ୍ରାନାଇଟ୍‌ ଆଧୁନିକ ମୂର୍ତ୍ତି ଏବଂ ପୁରୀର ପଟ୍ଟଚିତ୍ର ଓ ତାଳପତ୍ର ଖୋଦେଇ କଳା ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ଓଡ଼ିଶାର କାରିଗରଙ୍କ ପାରମ୍ପରିକ ଦକ୍ଷତା, ସୃଜନଶୀଳତା ଓ ସାଂସ୍କୃତିକ ପରିଚୟକୁ ବିଶ୍ୱ ବଜାର ସହ ଯୋଡ଼ିବାର ଏକ ପ୍ରମୁଖ ପଦକ୍ଷେପ। ଏହା ମାଧ୍ୟମରେ ମହିଳା ଉଦ୍ୟୋଗୀଙ୍କୁ ନୂଆ ବଜାର, ଅଧିକ ରୋଜଗାର ଓ ଉଦ୍ୟମିତାର ସୁଯୋଗ ମିଳିବା ସହ ଓଡ଼ିଶାର ପାରମ୍ପରିକ ଉତ୍ପାଦର ରପ୍ତାନି ସମ୍ଭାବନା ବଢ଼ିବ। ସ୍ଥାନୀୟ କାରିଗରଙ୍କ କଳାକୁ ବିଶ୍ୱ ବଜାରରେ ପହଞ୍ଚାଇ ‘ଲୋକାଲ ଟୁ ଗ୍ଲୋବାଲ’ ଯାତ୍ରାକୁ ଆହୁରି ସୁଦୃଢ଼ କରିବାରେ ଓଡିଓପି ଗ୍ୟାଲେରି ଏକ ନୂଆ ଦିଗ ଦେଖାଇଛି। ଏହାସହ ନିବେଶ ସମ୍ମିଳନୀର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ମଧ୍ୟ ଆହ୍ବାନ ଦେଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତର ଶେଷଦିନ ଅଛି।

Share In Social Media
Scroll to Top