
କଟକ: ଓଡ଼ିଶା ଟ୍ବେଣ୍ଟି୨୦ ଲିଗ୍ -୨୦୨୬ ସିଏମ୍ ଟ୍ରଫି ଚଳିତ ସେପ୍ଟେମ୍ବର ୨୦ରୁ ୨୯ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ଉକ୍ତ ଲିଗ୍ର ବ୍ରାଣ୍ଡ ଆମ୍ବାସାଡାର ଭାବେ ଦୁଇ ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତି ଓ ସୁରେଶ ରୈନା ନିଯୁକ୍ତ ହୋଇଛନ୍ତି। ଏ ନେଇ ଶୁକ୍ରବାର ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତି ନେଇ ସୁରେଶ ରୈନା କହିଛନ୍ତି ; ନମସ୍କାର ଓଡ଼ିଶା । ଓଡ଼ିଶାର ସମସ୍ତ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଓଡ଼ିଶା ଟ୍ବେଣ୍ଟି୨୦ ଲିଗ୍ ସିଏମ୍ ଟ୍ରଫିରେ ରୋମାଞ୍ଚକର କ୍ରିକେଟ ଦେଖିବାକୁ ମିଳିବ। ଯୁବ ଖେଳାଳିଙ୍କ ପାଇଁ ନିଜ ପ୍ରତିଭା ପ୍ରମାଣ କରିବାର ଏହା ଏକ ଭଲ ମଞ୍ଚ। ଏକ ବ୍ଲକବଷ୍ଟର ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ରୁହନ୍ତୁ। ଜୟ ଜଗନ୍ନାଥ!”
ସେହିପରି ଦେବାଶିଷ ମହାନ୍ତି କହିଛନ୍ତି ; ଓଡ଼ିଶାର କ୍ରିକେଟ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆମ ଖେଳାଳିମାନଙ୍କୁ ନିଜ ଦକ୍ଷତା ଦେଖାଇବା ଏବଂ ଚାପପୂର୍ଣ୍ଣ ପରିସ୍ଥିତିରେ ଖେଳିବା ପାଇଁ ଏହି ଲିଗ୍ ଏକ ଶକ୍ତିଶାଳୀ ମଞ୍ଚ ହେବ। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନକୁ ଧନ୍ୟବାଦ। ମୁଁ ଆଶା କରୁଛି ପ୍ରଶଂସକମାନେ ଅନେକ ରୋମାଞ୍ଚକର ମ୍ୟାଚ୍ ଏବଂ ସ୍ମରଣୀୟ ମୁହୂର୍ତ୍ତ ଦେଖିବେ। ଓଡ଼ିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରା ଦୁଇ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ବ୍ରାଣ୍ଡ୍ ଆମ୍ବାସାଡାର ଭାବେ ସାମିଲ କରାଯିବାକୁ ସ୍ୱାଗତ କରିଛନ୍ତି।





