
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସକୁ ପାଞ୍ଚ ଦିନିଆ ଗସ୍ତରେ ଯିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ନିବେଶକ ଓ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ ।
ଖଣି ଓ ଧାତୁ ଶିଳ୍ପ, ଗ୍ରୀନ୍ ଷ୍ଟିଲ୍ ଓ ଆଲୁମିନିୟମ୍, କେମିକାଲ୍ ଓ ପେଟ୍ରୋକେମିକାଲ୍, ବନ୍ଦର ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ୍ସ, ଡାଟା ସେଣ୍ଟର ଏବଂ ନବୀକରଣଯୋଗ୍ୟ ଶକ୍ତି ଭଳି କ୍ଷେତ୍ର ଏହି ନିବେଶ ଅଭିଯାନର ପ୍ରମୁଖ ଫୋକସ୍ ରେ ରହିବ। ଦୁବାଇ ଓ ଆବୁଧାବିରେ ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଥିବା ନିବେଶ ସୁଯୋଗକୁ ନେଇ ପିଚ୍ କରିବେ। ୟୁଏଇ ରୁ ବଡ଼ ପୁଞ୍ଜି ଆଣି ରାଜ୍ୟରେ ନୂଆ ଶିଳ୍ପ ସ୍ଥାପନ ସହ ଅଧିକ ନିଯୁକ୍ତି ଓ ରୋଜଗାର ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ। ପୂର୍ବରୁ ୟୁଏଇ ର ନିବେଶକଙ୍କ ସହ ଓଡ଼ିଶାର ଶିଳ୍ପ ସମ୍ପର୍କ ଆଗକୁ ବଢ଼ିଛି। ଏବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପରେ ଓଡ଼ିଶାକୁ କେତେ ନୂଆ ନିବେଶ ପ୍ରସ୍ତାବ ଆସୁଛି ଏବଂ କେଉଁ କେଉଁ କ୍ଷେତ୍ରରେ ବଡ଼ ଡିଲ୍ ହେଉଛି, ତାହା ଉପରେ ନଜର ରହିବ।





