odisha24 Live

Latest News

Latest News

ତୀବ୍ର ହୋଇପାରେ ବର୍ଷା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ବର୍ଷାର ପରିମାଣ ବଢିବା ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ମୌସୁମୀ ବାୟୁ ଶ୍ରୀଗଙ୍ଗାନଗର, ଉତ୍ତରପ୍ରଦେଶଠାରୁ ଉତ୍ତରପୂର୍ବ ବଙ୍ଗୋପସାଗର ମଧ୍ୟରେ ରହିଛି। ଫଳରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କାଁ ଭାଁ ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ ପାରଦ କିନ୍ତୁ ଉପରମୁହାଁ ରହିଛି। ଫଳରେ ଖରାଦିନ ଭଳି ଟାଣଖରା ସାଙ୍ଗକୁ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାଜ୍ୟର ୩୯ଟି ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା। ଗତ ୪ଦିନ ଧରି ପାରଳାଖେମୁଣ୍ଡିରେ ତାପମାତ୍ରା ସର୍ବାଧିକ ରହିବା ସହିତ ଉତ୍ତପ୍ତ ସହର ପାଲଟିଛି। ସୋମବାର ଏଠାରେ ସର୍ବାଧିକ ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ପୁରୀରେ ୩୬.୨, ଭୁବନେଶ୍ୱର ଓ ନୟାଗଡ଼ରେ ୩୬, ଚାନ୍ଦବାଲିରେ ୩୫.୭, ଭଦ୍ରକରେ ୩୫.୫, ଢେଙ୍କାନାଳରେ ୩୫.୪, କଟକରେ ୩୫.୨, ଝାରସୁଗୁଡ଼ା, ତାଳଚେର, ଯାଜପୁର ଏବଂ ଜଗତ୍‌ସିଂହପୁରରେ ୩୫ ଡିଗ୍ରୀ ରେକର୍ଡ ହୋଇଛି। ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩୦ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦିଆଯାଇଛି।

Share In Social Media
Scroll to Top