
ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ଗଡ଼ିବ କ୍ୟାନ୍ସର କେୟାର ଭ୍ୟାନ୍। ଆଉ ବଡ଼ ସହର ଭରସା ନୁହେଁ, ପ୍ରତି ଜିଲ୍ଲା ହସ୍ପିଟାଲରେ ମିଳିବ କେମୋ । ଗାଁ ଦୁଆରେ ପହଞ୍ଚିବ କ୍ୟାନ୍ସର ଚିକିତ୍ସା ଗାଡି।
କ୍ୟାନ୍ସର ଚିକିତ୍ସାକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ରୋଗୀଙ୍କ ନିକଟରେ ପହଞ୍ଚାଇବାକୁ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ। ଖୁବଶୀଘ୍ର ରାଜ୍ୟରେ ଗଡ଼ିବ କ୍ୟାନ୍ସର କେୟାର ଭ୍ୟାନ୍। ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କ୍ୟାନ୍ସର କେୟାର କ୍ଷେତ୍ରରେ ଓଡ଼ିଶାକୁ ଏକ ମଡେଲ୍ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି।
ଅନ୍ୟପଟେ ରାଜ୍ୟର ୩୨ ଜିଲ୍ଲା ହସ୍ପିଟାଲରେ ଲାଗୁ ହେବ ଡେ-କେୟାର ସିଷ୍ଟମ୍। ଏଣିକି ବାରମ୍ବାର ଦୂର ଜିଲ୍ଲା କିମ୍ବା କଟକ ଯିବାକୁ ପଡ଼ିବନି କ୍ୟାନ୍ସର ରୋଗୀଙ୍କୁ। ଚିହ୍ନଟ ପରେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପ୍ରଥମ କେମୋଥେରାପି ନେବେ ରୋଗୀ, ପରବର୍ତ୍ତୀ କେମୋ ନିଜ ଜିଲ୍ଲା ହସ୍ପିଟାଲରେ ନେଇପାରିବେ। ଏହାଦ୍ୱାରା ରୋଗୀ ଓ ପରିବାରର ଯାତାୟାତ ସହ ଅନ୍ୟାନ୍ୟ ଖର୍ଚ୍ଚ କମିବ। ସେହିପରି, କ୍ୟାନ୍ସର ଚିହ୍ନଟ ହେଲେ ଆଚାର୍ଯ୍ୟ ହରିହର କ୍ୟାନ୍ସର ସେଣ୍ଟରରେ ମାଗଣା ଚିକିତ୍ସା ସୁବିଧା ମିଳିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।





