
ନୂଆଦିଲ୍ଲୀ, : ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ୪ର୍ଥ ଦିନିକିଆ । ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମ ଥର ପାଇଁ ଦିନିକିଆରେ ଅଧିନାୟକତ୍ୱ କରୁଥିବା ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତ ଆଜିର ମ୍ୟାଚ୍ ଜିତି ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି । ପିଚ୍ ଶୁଖିଲା ଥିବା ସହ ସନ୍ଧ୍ୟାରେ କାକର ପଡ଼ିବାର ସମ୍ଭାବନା ଥିବାରୁ ଅଧିନାୟକ ଆୟର ଏହି ନିଷ୍ପତ୍ତି ନେଇଛନ୍ତି । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ରେ ଭାରତ ୨-୦ରେ ଆଗୁଆ ରହିଛି । ଅକଲ୍ୟାଣ୍ଡ ଏବଂ ୱେଲିଂଟନ୍ ରେ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ ରେ ଭାରତ ବିଜୟୀ ହୋଇଥିବା ବେଳେ ହାମିଲଟନ୍ ରେ ୩ୟ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ସିରିଜ୍ ବରାବର କରିବାକୁ ହେଲେ ନ୍ୟୁଜିଲ୍ୟାଣ୍ଡକୁ ବାକି ଦୁଇଟି ଯାକ ମ୍ୟାଚ୍ ଜିତିବାକୁ ପଡ଼ିବ । ଟେଷ୍ଟ ସିରିଜ୍ ପ୍ରସ୍ତୁତି ପାଇଁ ନିୟମିତ ଅଧିନାୟକ ଶୁଭମନ ଗିଲ୍, କେଏଲ୍ ରାହୁଲ ଏବଂ ଅଂଶୁଲ କମ୍ବୋଜ ସ୍ୱଦେଶ ଫେରିଛନ୍ତି ।
ଶ୍ରେୟସ୍ ଆୟର ଦଳର ନେତୃତ୍ୱ ନେଉଥିବା ବେଳେ ଋତୁରାଜ ଗାଏକ୍ୱାଡ, ଇଶାନ କିଶନ ଏବଂ କୁଲଦୀପ ଯାଦବ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ଦଳରେ ମିଚେଲ ସାଣ୍ଟନର ନେତୃତ୍ୱ ନେଉଛନ୍ତି । ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଟମ୍ ଲାଥାମ୍, ଗ୍ଲେନ୍ ଫିଲିପ୍ସ ଏବଂ ନାଥାନ୍ ସ୍ମିଥ୍ ଙ୍କ ଭଳି ପ୍ରମୁଖ ଟେଷ୍ଟ ଖେଳାଳିଙ୍କୁ ବିଶ୍ରାମ ଦେଇଛି । ଏବେ ସିରିଜି ଜିତିଲେ ଏହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଉପଲବ୍ଧି ହେବ । ଚଳିତ ବର୍ଷ ଜାନୁଆରୀରେ ଘରୋଇ ମାଟିରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୧-୨ରେ ସିରିଜ ହାରିଥିଲା । ସେହି ସିରିଜ୍ ପରାଜୟର ପ୍ରତିଶୋଧ ନେବା ପାଇଁ ଭାରତ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି ।





