
ଓଡ଼ିଶାର ଏକ ସାଧାରଣ ଗାଁ ଆଜି ସମଗ୍ର ଦେଶ ପାଇଁ ଏକ ଆଦର୍ଶ ଉଦାହରଣ ପାଲଟିଛି। ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରକୁ ଦେଶର ପ୍ରଥମ ‘ସୂର୍ଯ୍ୟଗ୍ରାମ’ ଭାବେ ବିକଶିତ କରିବା ପାଇଁ ଦ୍ରୁତ ଗତିରେ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି।
ସୂର୍ଯ୍ୟ ଶକ୍ତିକୁ ଆପଣେଇ ମୟୂରଭଞ୍ଜର ପାହାଡ଼ପୁର ଏବେ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଗାଁର ୭୪ଟି ଘରରେ ସୌର ବ୍ୟବସ୍ଥା ସ୍ଥାପନ ହୋଇସାରିଥିବା ବେଳେ, ଏହା ଭାରତର ପ୍ରଥମ ‘ସୂର୍ଯ୍ୟଗ୍ରାମ’ ହେବା ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। କେବଳ ଗୋଟିଏ ମାସ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଗାଁର ଚିତ୍ରରେ ଆସିଛି ବଡ଼ ପରିବର୍ତ୍ତନ।
ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡ଼ପୁର, ଯାହା ଦିନେ ସାଧାରଣ ଗାଁ ଭାବେ ପରିଚିତ ଥିଲା, ଆଜି ସ୍ୱଚ୍ଛ ଶକ୍ତି ବ୍ୟବହାରରେ ସାରା ଦେଶ ପାଇଁ ଏକ ଆଦର୍ଶ ମଡେଲ୍ ପାଲଟିଛି। ୧୪୭ଟି ପରିବାର ବିଶିଷ୍ଟ ଏହି ଗାଁର ପ୍ରତ୍ୟେକ ଘରକୁ ସୌରଶକ୍ତି ସହ ଯୋଡ଼ିବା ପାଇଁ ବ୍ୟାପକ କାର୍ଯ୍ୟ ଚାଲିଛି।
ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ଗାଁକୁ ପରିଦର୍ଶନ କରି ପାହାଡ଼ପୁରକୁ ସମ୍ପୂର୍ଣ୍ଣ ‘ସୂର୍ଯ୍ୟଗ୍ରାମ’ରେ ପରିଣତ କରିବାର ଘୋଷଣା କରିଥିଲେ। ସେହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ଓ ଟାଟା ପାୱାରଙ୍କ ସହଯୋଗରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଏପର୍ଯ୍ୟନ୍ତ ୭୪ଟି ପକ୍କା ଘରରେ ସୋଲାର ୟୁନିଟ୍ ଲଗାଯାଇଥିବା ବେଳେ, ଶେଷ ଘରଗୁଡ଼ିକରେ ମଧ୍ୟ ଖୁବ୍ ଶୀଘ୍ର ସଂସ୍ଥାପନ କାମ ସମ୍ପୂର୍ଣ୍ଣ ହେବ।
କେବଳ ଘରୋଇ ବିଦ୍ୟୁତ୍ ନୁହେଁ, ଗାଁର ସମଗ୍ର ଭିତ୍ତିଭୂମିକୁ ସୌରଶକ୍ତି ଭିତ୍ତିକ କରାଯାଉଛି। ସୋଲାର ଷ୍ଟ୍ରିଟ୍ ଲାଇଟ୍, ସୌରଶକ୍ତିଚାଳିତ ଜଳସେଚନ ବ୍ୟବସ୍ଥା, ସ୍କୁଲ, ଅଙ୍ଗନବାଡ଼ି ଓ ସରକାରୀ କାର୍ଯ୍ୟାଳୟରେ ସୋଲାର ପ୍ୟାନେଲ ସ୍ଥାପନ କରାଯିବ। ଏହାଦ୍ୱାରା ବିଦ୍ୟୁତ୍ ଖର୍ଚ୍ଚ କମିବ, ସଞ୍ଚୟ ବଢ଼ିବ ଏବଂ ଚାଷୀମାନେ ମଧ୍ୟ ବିଶେଷ ଉପକୃତ ହେବେ। ଟାଟା ପାୱାର କହିଛି, ଆସନ୍ତା ମାସ ସୁଦ୍ଧା ସମସ୍ତ ସୌରଶକ୍ତି ସଂସ୍ଥାପନ କାର୍ଯ୍ୟ ସମାପ୍ତ ହେବ। ପାହାଡ଼ପୁର ‘ସୂର୍ଯ୍ୟଗ୍ରାମ’ରେ ପରିଣତ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଖୁସିର ପରିବେଶ ସୃଷ୍ଟି ହୋଇଛି।

