
ଓ୍ବାଶିଂଟନ : ୨୦୨୬ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା। ଏହି ଉପନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଡେମୋକ୍ରାଟିକ ପାର୍ଟି। ତେବେ ପରାଜୟ ପରେ ବି ଚିନ୍ତିତ ନୁହନ୍ତି ଆମେରିକା ରାଷ୍ଟ୍ରପତି। ଓଲଟା ଟ୍ରମ୍ପ ବିତଣ୍ଡା ଯୁକ୍ତି ବାଢିଛନ୍ତି। ତାଙ୍କ କହିବା କଥା ଯଦି ସେ ନିଜେ ଏହି ନିର୍ବାଚନ ଲଢିଥାନ୍ତେ ତେବେ ରିପବ୍ଲିକାନ ପାର୍ଟିକୁ ବିପୁଳ ବିଜୟ ମିଳିଥାନ୍ତା। ଉଲ୍ଲେଖନୀୟ ନିର୍ବାଚନ ସମୟରେ ଟ୍ରମ୍ପ ରିପବ୍ଲିକାନ ପ୍ରାର୍ଥୀଙ୍କ ପାଇଁ ଖୁବ୍ ପ୍ରଚାର କରିଥିଲେ। ଲାଗୁଥିଲା ଯେମିତି ଟ୍ରମ୍ପ ନିର୍ବାଚନ ଲଢୁଛନ୍ତି।
ଟ୍ରମ୍ପ ପ୍ରଚାର ଅଭିଯାନ ସମୟରେ କହୁଥିଲେ ଯେ, ଭୋଟର ଭାଇ ଭଉଣୀ ଆପଣ ଏହା ଭାବି ଚାଲନ୍ତୁ ଯେ, ମୁଁ ନିଜେ ନିର୍ବାଚନ ଲଢୁଛି। ତେଣୁ ସେହି ହିସାବରେ ରିପବ୍ଲିକାଲନର ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ। ସେ ଏହା ମଧ୍ୟ କହିଥିଲେ, ସେ ଏବେ ରାଜନୈତିକ ବିଶେଷଜ୍ଞ ଦାୟିତ୍ଵ ତୁଲାଇବେ ଏବଂ ଜଣାଇବେ ଯେ, ରିପବ୍ଲିକାନର ପ୍ରାର୍ଥୀ କାହିଁକି ହାରିଲେ।
ଡେମୋକ୍ରାଟ୍ ମାନେ ଆମେରିକାର ସିନେଟରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି । ରିପବ୍ଲିକାନ୍ ପାର୍ଟିକୁ ପଛରେ ପକାଇ ଦମଦାର ପ୍ରଦର୍ଶନ କରିଛି ବିରୋଧୀ ଡେମୋକ୍ରାଟିକ୍ ପାର୍ଟି । ଦେଶରେ ବଢ଼ୁଥିବା ଦରଦାମ, ଜୀବନଯାପନ ଖର୍ଚ୍ଚ, ଇରାନ୍ ଯୁଦ୍ଧ ଓ ଟ୍ରମ୍ପ ପ୍ରଶାସନର ନୀତି ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା । ନିର୍ବାଚନୀ ଫଳାଫଳ ପରେ ଏବେ ୱାଶିଂଟନ୍ ରେ ବଦଳିଛି କ୍ଷମତା ସମୀକରଣ। ସିନେଟ୍ ରେ ଡେମୋକ୍ରାଟ୍ ଙ୍କ ନିୟନ୍ତ୍ରଣ ଟ୍ରମ୍ପଙ୍କ ଆଗାମୀ ନୀତି ଓ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ ।





