
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବିଶ୍ବରେ ଅସ୍ଥିରତା ସୃଷ୍ଟି କରି ଆମେରିକୀୟଙ୍କୁ ମହଙ୍ଗା ମାଡ଼ ଦେଇଥିବା ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି। ଏହାର ପ୍ରଭାବ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ପଡ଼ିଛି। ନଭେମ୍ବର ୩ରେ ମତଦାନ ହେବାକୁ ଥିବାବେଳେ ଏହା ପୂର୍ବରୁ ଭୋଟ୍ ଗ୍ରହଣର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏ ପର୍ଯ୍ୟନ୍ତ ପ୍ରାୟ ୪ କୋଟି ଭୋଟର ମତଦାନ କରିସାରିଲେଣି। ତେବେ ଏହି ମତଦାନରେ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ପଛରେ ରହିଛି। ବିରୋଧୀ ଡେମୋକ୍ରାଟିକ୍ ପାର୍ଟିକୁ ୪୭ ପ୍ରତିଶତ ଓ ରିପବ୍ଲିକାନ୍ ପାର୍ଟିକୁ ୩୬ ପ୍ରତିଶତ ଭୋଟରଙ୍କ ସମର୍ଥନ ମିଳିଛି। ଏହା ମଧ୍ୟରେ ଟ୍ରମ୍ପ ଆମେରିକାର ୩୦ ରାଜ୍ୟଠାରୁ
ଭୋଟର ତାଲିକା ମଗାଇଛନ୍ତି। ଏହି ତଥ୍ୟ ମାଧ୍ୟମରେ ଟ୍ରମ୍ପ ବିରୋଧୀ ଭୋଟରଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିପାରନ୍ତି ବୋଲି ଆଶା କରାଯାଉଛି। ଏହି ମାମଲାରେ ଟ୍ରମ୍ପ ପ୍ରଶାସନ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରିଛି। ଏହି ତାଲିକାରେ ଭୋଟରଙ୍କ ଠିକଣା, ଜନ୍ମତାରିଖ ଓ ସୋସିଆଲ୍ ସିକ୍ୟୁରିଟି ନମ୍ବର ଭଳି ବ୍ୟକ୍ତିଗତ ତଥ୍ୟ ସାମିଲ ରହିଛି। ତେବେ ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଆମେରିକାର ନାଗରିକ ହୋଇ ନଥିବା କୌଣସି ବ୍ୟକ୍ତି ଭୋଟ୍ ଦେଉଛନ୍ତି କି ନାହିଁ, ତାହା ଯାଞ୍ଚ କରିବାକୁ ଭୋଟର ତାଲିକା ମଗାଯାଇଛି। ତେବେ ଏ ପର୍ଯ୍ୟନ୍ତ ଆମେରିକାରେ ଜାଲ୍ ଭୋଟିଂ ହୋଇଥିବାର କୌଣସି ଠୋସ୍ ପ୍ରମାଣ ସାମ୍ନାକୁ ଆସିନାହିଁ। ସେ ପଟେ ଟେସଲା ମାଲିକ ଟ୍ରମ୍ପଙ୍କ ଦଳ ପାଇଁ ପ୍ରଚାର କରିଛନ୍ତି। ଡେମୋକ୍ରାଟିକ ପାର୍ଟି ଜିତିଲେ ଗଣତନ୍ତ୍ର ଶେଷ ହୋଇଯିବ ବୋଲି କହିଛନ୍ତି।





