odisha24 Live

Latest News

Latest News

ସକାଳେ ଚୁଡ଼ା ଖାଇଲେ ମିଳିବ ଏହି ସବୁ ସ୍ୱାସ୍ଥ୍ୟ ଲାଭ

ଚୁଡ଼ା ଆମ ଓଡ଼ିଆ ଘରର ଏକ ପ୍ରିୟ ଖାଦ୍ୟ। ସକାଳ ଜଳଖିଆ ହେଉ କି ସନ୍ଧ୍ୟାର ଜଳଖିଆ, ଚୁଡ଼ାକୁ ଅନେକ ଲୋକ ପସନ୍ଦ କରନ୍ତି। ଚୁଡ଼ା ସହ କଦଳୀ, ଗୁଡ଼ ଓ ଟିକିଏ ଦହି ମିଶାଇ ଖାଇଲେ ଏହା ସ୍ୱାଦିଷ୍ଟ ଲାଗିବା ସହ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ । ଏଥିସହ ଚୁଡା ନିଦା ଖାଦ୍ୟ । ଯାହା ବହୁତ ସମୟ ଧରି ପେଟକୁ ପୂର୍ଣ୍ଣ କରି ରଖିଥାଏ । ଫଳରେ ଭୋକ କମ୍ ହୋଇଥାଏ । ସାଧାରଣତଃ କିଛି ଲୋକ ସକାଳୁ ଚୁଡା କଦଳୀ ଖାଇବାକୁ ଭଲ ପାଇଥାଆନ୍ତି ।

ଲୋକମାନେ ଜଳଖିଆ ହିସାବରେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଏହାକୁ ଆପଣମାନେ ଖୁବ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତ କରି ଖାଇପାରିବେ । ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ହଜମ ପ୍ରକ୍ରିୟାକୁ ବି ମଜବୁତ୍ କରିଥାଏ । ଚୁଡାରେ ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ଅନେକ ଭିଟାମିନ୍ ପ୍ରଚୁର ମାତ୍ରାର ରହିଥାଏ । ଯାହା କୋଷ୍ଠ କାଠିନ୍ୟ ଏବଂ ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ । ଚୁଡାରେ ଅଧିକ ପରିମାଣର ଫାଇବର ଥିବାରୁ ଶରୀରକୁ ଏହା ତତକ୍ଷଣାତ୍ ଶକ୍ତି ଯୋଗାଇଥାଏ । ଚୁଡା କଦଳୀ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଆମକୁ ଭୋକ ଲାଗିନଥାଏ । ଯାହା ଦ୍ବାରା ଏହା ଆମ ଓଜନ ହ୍ରାସ କରିବାରେ ବି ସହାୟକ ହୋଇଥାଏ ।

ଆୟୁର୍ବେଦ ଅନୁଯାୟୀ, ଚୁଡାକୁ ସଠିକ୍ ଉପାୟରେ ପ୍ରସ୍ତୁତ ଏବଂ ସେବନ କଲେ ଏହାର ସ୍ୱାସ୍ଥ୍ୟଗତ ଲାଭ ବହୁଗୁଣିତ ହୋଇପାରେ । ଚୂଡାକୁ ଆମେ ଚୁଡା ଉପମା ବା ଚୂଡା ସନ୍ତୁଳା ଭାବେ ପ୍ରସ୍ତୁତ କରି ଖାଇଥାଉ । ସନ୍ତୁଳା ପାଇଁ ମୋଟା କିମ୍ବା ମଧ୍ୟମ ମୋଟେଇର ଚୂଡା ବ୍ୟବହାର କରନ୍ତୁ । ତେଲ ବଦଳରେ ଘିଅ ବ୍ୟବହାର କରିବା ଆୟୁର୍ବେଦରେ ଅଧିକ ଉତ୍ତମ ବୋଲି ବିବେଚନା କରାଯାଏ । ଘିଅ ହଜମ ଶକ୍ତି ବଢ଼ାଏ ଏବଂ ଶରୀରକୁ ପୋଷଣ ଦିଏ । ତେବେ ଆସନ୍ତୁ ଏହା କ’ଣ ସବୁ ସ୍ବାସ୍ଥ୍ୟ ଲାଭ ପ୍ରଦାନ କରିଥାଏ, ସେ ସମ୍ପର୍କରେ ଅଧିକ ଜାଣିବା ।

ଏନର୍ଜି ବଢାଏ:ଦିନର ଏକ ଭଲ ଆରମ୍ଭ କରିବା ପାଇଁ ଚୁଡା ଏକ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ବିକଳ୍ପ । ଚୁଡାରେ ଥିବା କାର୍ବୋହାଇଡ୍ରେଟ୍ ଶରୀରକୁ ପ୍ରଚୁର ଶକ୍ତି ଯୋଗାଇବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିବାକୁ ଦେଇନଥାଏ । କାର୍ବୋହାଇଡ୍ରେଟ୍‌ର ଅଭାବ ହେତୁ ବ୍ୟକ୍ତିଙ୍କୁ ବାରମ୍ବାର ଥକ୍କା ଲାଗିବା ଓ ଶରୀରରେ ଶକ୍ତିର ଅଭାବ ଅନୁଭବ ହୋଇପାରେ । ତେଣୁ ଚୁଡା ଖାଇବା ଦ୍ୱାରା ଏହି ସମସ୍ୟାରେ କିଛି ମାତ୍ରାରେ ଉପକାର ମିଳିପାରେ ।

ମୋଟାପଣ ଦୂର କରେ:ଶରୀରକୁ ସୁସ୍ଥ ଓ ସୁଗଠିତ ରଖିବା ପାଇଁ ଚୁଡା ଖାଇବା ଲାଭଦାୟକ ହୋଇପାରେ । ଚୁଡାରେ କ୍ୟାଲୋରିର ପରିମାଣ ତୁଳନାତ୍ମକ ଭାବେ କମ୍ ଥିବାବେଳେ ଏଥିରେ କେତେକ ଆବଶ୍ୟକୀୟ ପୋଷକତତ୍ତ୍ୱ ରହିଛି । ଯଦି ଆପଣ ଦିନର ଆରମ୍ଭ ଚୁଡା ଖାଇ କରନ୍ତି, ତେବେ ଏହା ସନ୍ତୁଳିତ ଖାଦ୍ୟର ଏକ ଅଂଶ ଭାବେ କାମ କରିବା ସହ ଓଜନ ନିୟନ୍ତ୍ରଣରେ ସହାୟକ ହୋଇପାରେ ।

ପେଟକୁ ସୁସ୍ଥ ରଖେ:ଚୁଡାରେ ଥିବା ଫାଇବର୍ ପାଚନକ୍ରିୟାକୁ ସୁସ୍ଥ ରଖିବାରେ ସହାୟତା କରେ । ଏହା ଶରୀରରେ ଧୀରେ ଧୀରେ ହଜମ ହୋଇ ଶକ୍ତି ଯୋଗାଇଥାଏ । ଏହା ସହିତ ଚୁଡାରେ ପନିପରିବା ମିଶାଇ ଖାଇବା ଦ୍ୱାରା ଖାଦ୍ୟରେ ଫାଇବର୍‌ର ପରିମାଣ ଆହୁରି ବଢ଼ିଯାଇଥାଏ । ଯାହା ଅନ୍ତନଳୀ ଓ ପାଚନତନ୍ତ୍ରର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସହାୟକ ହୁଏ ।

ମଧୁମେହ ପାଇଁ ଉପକାରୀ:ଯେକୌଣସି ଖାଦ୍ୟ ଖାଇବା ପୂର୍ବରୁ ମଧୁମେହ ରୋଗୀମାନେ ଚିନ୍ତା କରନ୍ତି । ହୁଏତ ଏହା ରକ୍ତରେ ଶର୍କରାର ସ୍ତର ବଢ଼ାଇଦେବ କି ନାହିଁ । ତେଣୁ ଏପରି ସ୍ଥିତିରେ ଚୁଡାକୁ ସନ୍ତୁଳିତ ଜଳଖିଆର ଏକ ଅଂଶ ଭାବେ ଗ୍ରହଣ କରାଯାଇପାରେ । ଚୁଡା ପ୍ରସ୍ତୁତ କରିବା ସମୟରେ କମ୍ ତେଲ ଓ ଅଧିକ ପରିମାଣରେ ସବୁଜ ପନିପରିବା ବ୍ୟବହାର କରନ୍ତୁ । ଚୁଡାରେ ଥିବା କାର୍ବୋହାଇଡ୍ରେଟ୍ ରକ୍ତ ଶର୍କରାକୁ ପ୍ରଭାବିତ କରିପାରେ । ତେଣୁ ଏହାର ପରିମାଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ପନିପରିବା ଓ ଅନ୍ୟ ପୋଷକ ଖାଦ୍ୟ ସହିତ ଖାଇବା ଦ୍ବାରା ରକ୍ତ ଶର୍କରା ନିୟନ୍ତ୍ରଣରେ ସହାୟକ ହୋଇପାରେ ।

ହାଡ଼କୁ ମଜବୁତ କରେ :ଅଧ୍ୟୟନରୁ ଜଣାପଡ଼େ ଯେ ଚୁଡାରେ ଥିବା କେତେକ ପୋଷକତତ୍ତ୍ୱ ଓ ଖଣିଜ ପଦାର୍ଥ ହାଡ଼ର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିପାରେ । ସେଥିପାଇଁ ଆପଣ ଚୁଡା ସହିତ ନିୟମିତ ଭାବେ ଦହି ଖାଇପାରିବେ । ଦହିରେ ଥିବା କ୍ୟାଲସିୟମ୍ ହାଡ଼କୁ ମଜବୁତ ରଖିବାରେ ସହାୟତା କରିଥାଏ ।

ଆଇରନ୍‌ର ଅଭାବ ଦୂର କରେ :ଗର୍ଭାବସ୍ଥା ସମୟରେ ମହିଳାମାନଙ୍କଠାରେ ରକ୍ତହୀନତା ବା ରକ୍ତରେ ହିମୋଗ୍ଲୋବିନ୍‌ର ଅଭାବ ସାଧାରଣତଃ ଦେଖାଦେଇଥାଏ । ଚୁଡାରେ ଆଇରନ୍‌ର ମାତ୍ରା ରହିଥାଏ, ଯାହା ଶରୀରରେ ଲୋହିତ ରକ୍ତ କଣିକା ଉତ୍ପାଦନରେ ବଡ଼ ଭୂମିକା ନିର୍ବାହ କରିପାରେ ।

Share In Social Media
Scroll to Top