
ଭାରତୀୟ ବଜାରରେ ଅଲଟ୍ରାଭାଉଲେଟ୍ ର ନୂଆ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ X-47 Venom ଲଞ୍ଚ୍ ହୋଇଛି । ଅକ୍ଟୋବର ୨୨ ତାରିଖରୁ ଏହାର ବୁକିଂ ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୨୦୨୬ରୁ ଡେଲିଭରି ଆରମ୍ଭ ହେବାର ଆଶା ରହିଛି ।
ଏହି ନୂଆ ବାଇକ୍ରେ ରହିଛି ଅନେକ ଆକର୍ଷଣୀୟ ଫିଚର୍ସ । କମ୍ପାନୀର ଦାବି ଅନୁଯାୟୀ, ଏଥିରେ ଥିବା ୧୧ କିଲୋୱାଟ୍ ଆୱାର୍ର SRB-11 ବ୍ୟାଟେରୀ ଥରେ ଚାର୍ଜ କଲେ ୩୪୩ କିଲୋମିଟର IDC ରେଞ୍ଜ୍ ପ୍ରଦାନ କରିପାରିବ । ବାଇକ୍ରେ ନୂଆ 100V ବ୍ୟାଟେରୀ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏହାର କୁଲିଂ କ୍ଷମତା ପୂର୍ବ ଟେକ୍ନୋଲୋଜି ତୁଳନାରେ ଦୁଇଗୁଣ ହୋଇଥିବା କମ୍ପାନୀ ଦାବି କରିଛି । ପରଫର୍ମାନ୍ସ କଥା କହିବାକୁ ଗଲେ, X-47 Venomରେ ରହିଛି UV LIGHTFURY ଇଲେକ୍ଟ୍ରିକ୍ ମୋଟର । ଏହା ପ୍ରାୟ ୪୦ ବିଏଚ୍ପି ପାୱାର ଉତ୍ପାଦନ କରିବା ସହ ହ୍ବିଲରେ ୫୫୦ ନ୍ୟୁଟନ୍ ମିଟର ଟର୍କ ଦେଇପାରିବ ବୋଲି କମ୍ପାନୀ କହିଛି । ମାତ୍ର ୨.୭ ସେକେଣ୍ଡରେ ଏହା ଘଣ୍ଟା ପ୍ରତି ୬୦ କିଲୋମିଟର ସ୍ପିଡ୍ ହାସଲ କରିପାରିବ । ସେହିପରି ଏହାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୧୫୫ କିଲୋମିଟର ରହିବ ।
ଚାର୍ଜିଂ ପାଇଁ ମଧ୍ୟ ଏହି ବାଇକ୍ରେ ବିଶେଷ ସୁବିଧା ରହିଛି । ଏଥିରେ 1.6 କିଲୋୱାଟ୍ର ଅନ୍ବୋର୍ଡ ଚାର୍ଜର ମିଳୁଥିବା ବେଳେ ୧୨ କିଲୋୱାଟ୍ DC ଫାଷ୍ଟ ଚାର୍ଜିଂକୁ ମଧ୍ୟ ସପୋର୍ଟ କରିଥାଏ । କମ୍ପାନୀର ଦାବି ଅନୁସାରେ, DC ଫାଷ୍ଟ ଚାର୍ଜିଂ ସୁବିଧା ଦେଉଥିବା ଏହା ଭାରତର ପ୍ରଥମ ଇଲେକ୍ଟ୍ରିକ୍ ଟୁହ୍ବିଲର ବାଇକ୍ । ସୁରକ୍ଷା ଏବଂ ଆଡଭାନ୍ସ ଫିଚର୍ସ ଉପରେ ମଧ୍ୟ କମ୍ପାନୀ ଗୁରୁତ୍ୱ ଦେଇଛି । ବାଇକ୍ରେ 77GHz ରିୟର ରାଡାର ରହିଛି । ଯାହା ବ୍ୟାକ୍ ସାଇଡରୁ ଆସୁଥିବା ଗାଡ଼ିଗୁଡ଼ିକ ଉପରେ ନଜର ରଖିବାରେ ସାହାଯ୍ୟ କରିବ । ଏହା ସହ ବ୍ଲାଇଣ୍ଡ-ସ୍ପଟ୍ ମନିଟରିଂ, ଲେନ୍-ଚେଞ୍ଜ୍ ଆସିଷ୍ଟ, ଓଭରଟେକ୍ ଆଲର୍ଟ ଏବଂ ପଛପଟୁ ଧକ୍କା ହେବାର ଆଶଙ୍କା ସହ ସମ୍ପର୍କିତ ଚେତାବନୀ ଦେବା ଭଳି ସୁବିଧା ମଧ୍ୟ ରହିଛି । ଏଥିରେ ୭ ଇଞ୍ଚର TFT ଟଚ୍ସ୍କ୍ରିନ୍, ଫ୍ରଣ୍ଟ ଓ ବ୍ୟାକ୍ କ୍ୟାମେରା, କ୍ରୁଜ୍ କଣ୍ଟ୍ରୋଲ୍, ନାଭିଗେସନ୍ ଏବଂ ପାର୍କ ଆସିଷ୍ଟ ମଧ୍ୟ ମିଳିବ । ହେଲେ ବାଇକ୍ର ଓଜନକୁ ମଧ୍ୟ କମ୍ପାନୀ କମାଇଦେଇଛି । ଏହାର କର୍ବ ଓଜନ ୧୮୦ କିଲୋଗ୍ରାମ, ଯାହା ପୂର୍ବ ପ୍ଲାଟଫର୍ମ ତୁଳନାରେ ପ୍ରାୟ ୨୦ କିଲୋଗ୍ରାମ କମ୍ । ଏହା ସହ କମ୍ପାନୀ ନିଜର ନୂଆ VX-100 ପ୍ଲାଟଫର୍ମ ମଧ୍ୟ ଉପସ୍ଥାପନ କରିଛି । ଫ୍ୟୁଚରରେ ଏହି ଟେକ୍ନୋଲୋଜି ଆଧାରରେ ବ୍ୟାଟେରୀ ପାୱାର ବିଶିଷ୍ଟ ଅନ୍ୟ ଇଲେକ୍ଟ୍ରିକ୍ ବାଇକ୍ ତିଆରି କରାଯାଇପାରିବ ।
ଭାରତ ପରେ ୟୁରୋପୀୟ ବଜାରରେ ମଧ୍ୟ ଏହି ବାଇକ୍କୁ ଉପସ୍ଥାପନ କରିବାକୁ କମ୍ପାନୀ ଯୋଜନା କରିଛି ।




