
ଭୁବନେଶ୍ୱର ଓ କଟକରେ ସରିଲା ଦଶହରା । ଆଖିରେ ଲୁହ, ମନରେ ଆର ବର୍ଷକୁ ଅପେକ୍ଷା । ପାଞ୍ଚ ଦିନର ଆନନ୍ଦ, ଉତ୍ସାହ, ଭକ୍ତି ଓ ଉଲ୍ଲାସ ପରେ ଶେଷ ହୋଇଛି ଚଳିତବର୍ଷର ଦୁର୍ଗାପୂଜା । ଗୁରୁବାର ରଙ୍ଗାରଙ୍ଗ ଭସାଣି ଶୋଭାଯାତ୍ରାରେ ମା’ ଦୁର୍ଗାଙ୍କୁ ବିଦାୟ ଦେଇଛନ୍ତି କଟକ ଓ ଭୁବନେଶ୍ୱରବାସୀ । ଢୋଲ, ମହୁରୀ, ପାରମ୍ପରିକ ବାଦ୍ୟଯନ୍ତ୍ର ଓ ଲୋକନୃତ୍ୟର ତାଳେ ତାଳେ ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ନିର୍ଦ୍ଧାରିତ ବିସର୍ଜନ ସ୍ଥଳକୁ ନିଆଯାଇଥିଲା । ଭକ୍ତଙ୍କ ହୃଦୟରେ ଥିଲା ବିଦାୟର ଦୁଃଖ, ଆଉ ମୁହଁରେ ଥିଲା ଆର ବର୍ଷ ପୁଣି ମା’ଙ୍କ ଆଗମନର ଆଶା । ଅକ୍ଟୋବର ୨୧ ତାରିଖ ବିଜୟାଦଶମୀ ପାଳନ ପରେ ଗୁରୁବାର, ଅକ୍ଟୋବର ୨୨ରେ ଦୁଇ ସହରରେ ଅନୁଷ୍ଠିତ ହୋଇଥିଲା ପାରମ୍ପରିକ ଭସାଣି ଉତ୍ସବ । ସୁସଜ୍ଜିତ ମେଢ଼, ଆଲୋକମାଳା, ନୃତ୍ୟ ଓ ବାଦ୍ୟରେ ମୁଖରିତ ହୋଇଉଠିଥିଲା ରାଜଧାନୀ ଓ ରୌପ୍ୟନଗରୀର ରାସ୍ତାଘାଟ ।
ରାଜଧାନୀ ଭୁବନେଶ୍ୱରରେ ଏକାଧିକ ଭସାଣି କମିଟି ପକ୍ଷରୁ ମା’ଙ୍କ ମେଲାଣି ଉତ୍ସବ ଆୟୋଜନ କରାଯାଇଥିଲା । ସହିଦନଗରର ଭୁବନେଶ୍ୱର ଭସାଣି ଉତ୍ସବ ସମିତି, ନୟାପଲ୍ଲୀର ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି, ଚନ୍ଦ୍ରଶେଖରପୁରର ଉତ୍ତର ଭୁବନେଶ୍ୱର ଭସାଣି କମିଟି ଏବଂ ପୁରୁଣା ଭୁବନେଶ୍ୱର ଭସାଣି ସମିତି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସହିଦନଗର, ନୟାପଲ୍ଲୀ, ପଳାଶୁଣୀ, ବମିଖାଲ ସମେତ ବିଭିନ୍ନ ଅଞ୍ଚଳର ପୂଜା ମେଢ଼ ନିର୍ଦ୍ଧାରିତ ସ୍ଥାନରେ ଏକତ୍ରିତ ହେବା ପରେ ଭସାଣି ଶୋଭାଯାତ୍ରା ଆଗକୁ ବଢ଼ିଥିଲା । ଶୋଭାଯାତ୍ରା ଦେଖିବାକୁ ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । କେଉଁଠି ପାରମ୍ପରିକ ଢୋଲର ତାଳରେ ନାଚୁଥିଲେ ଯୁବକଯୁବତୀ, ତ ଆଉ କେଉଁଠି ଲୋକକଳା ଦଳର ପ୍ରଦର୍ଶନ ଭସାଣିକୁ ଆହୁରି ଆକର୍ଷଣୀୟ କରିଥିଲା । ଭକ୍ତିମୟ ପରିବେଶରେ ମା’ଙ୍କୁ ବିଦାୟ ଦେବା ପାଇଁ ଭିଡ଼ ଜମିଥିଲା । ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ମା’ଙ୍କ ପ୍ରତିମା ବିସର୍ଜନ ପାଇଁ ସ୍ୱତନ୍ତ୍ର ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରାଯାଇଥିଲା । କୁଆଖାଇ ଓ ଦୟା ନଦୀ ନିକଟରେ ଥିବା ନିର୍ଦ୍ଧାରିତ ସ୍ଥାନ ସମେତ ଟଙ୍କପାଣି ରୋଡ୍ ର ବାସୁଆଘାଇ, ଲିଙ୍ଗିପୁର ଏବଂ ଅନ୍ୟାନ୍ୟ ସ୍ଥାନରେ ବିସର୍ଜନ ବ୍ୟବସ୍ଥା ହୋଇଥିଲା ।
ନଦୀଜଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ପ୍ରତିମାଗୁଡ଼ିକୁ ଏହି ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା । ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ଭସାଣି ସମୟରେ ଡିଜେ ସଙ୍ଗୀତ ଓ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଥିଲା ।ଭୁବନେଶ୍ୱରରେ ପ୍ରାୟ ୪୮ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ୧୦୦ରୁ ଅଧିକ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା । ସେହିପରି କଟକରେ ପ୍ରାୟ ୬୦ ପ୍ଲାଟୁନ୍ ବା ପାଖାପାଖି ୪୨୦୦ ପୁଲିସ କର୍ମଚାରୀଙ୍କୁ ଭସାଣି ଉତ୍ସବ ପାଇଁ ନିୟୋଜିତ କରାଯାଇଥିଲା । ଏହା ସହିତ ହୋମଗାର୍ଡ ଓ ଅନ୍ୟ ସୁରକ୍ଷା ୟୁନିଟ୍ ଗୁଡ଼ିକୁ ମଧ୍ୟ ଦାୟିତ୍ୱ ଦିଆଯାଇଥିଲା । ଭସାଣି ଶୋଭାଯାତ୍ରା ଯୋଗୁଁ ଦୁଇ ସହରର ବିଭିନ୍ନ ରାସ୍ତାରେ କେତେକ ଘଣ୍ଟା ପାଇଁ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଥିଲା । ଟ୍ରାଫିକ୍ ପରିଚାଳନା ପାଇଁ ବିକଳ୍ପ ରାସ୍ତାର ବ୍ୟବସ୍ଥା କରାଯାଇଥିଲା । ଦୁର୍ଗାପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ଓଡ଼ିଶାର ସାମାଜିକ ଏକତା, କଳା, ସଂସ୍କୃତି ଓ ଭାଇଚାରାର ଏକ ବଡ଼ ପରିଚୟ ।
ପୂଜାର ପାଞ୍ଚ ଦିନ ଧରି ଦୁଇ ସହରରେ ଆକର୍ଷଣୀୟ ତୋରଣ, ଆଲୋକସଜ୍ଜା ଓ ମୃଣ୍ମୟୀ ପ୍ରତିମା ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଗୁରୁବାର ଭସାଣି ବେଳେ ସେହି ଆନନ୍ଦମୟ ପରିବେଶରେ ମିଶିଯାଇଥିଲା ବିଦାୟର ଭାବନା । ମା’ଙ୍କୁ ଶେଷ ପ୍ରଣାମ କରି ଅନେକ ଭକ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ । ଶୁକ୍ରବାର ସକାଳୁ କଟକ ଓ ଭୁବନେଶ୍ୱରର ରାସ୍ତାଘାଟ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରିଛି । ଗତ କିଛି ଦିନ ଧରି ଯେଉଁ ପୂଜାମଣ୍ଡପଗୁଡ଼ିକ ଭକ୍ତଙ୍କ ଭିଡ଼ରେ ମୁଖରିତ ହୋଇଥିଲା, ସେଗୁଡ଼ିକ ଏବେ ଖାଲି ପଡ଼ିଛି । ଆଲୋକମାଳା ଓ ତୋରଣର ଆକର୍ଷଣ ମଧ୍ୟ ଧୀରେ ଧୀରେ ଫିକା ପଡ଼ିବାକୁ ଲାଗିଛି । କିନ୍ତୁ ଦୁର୍ଗାପୂଜାର ସ୍ମୃତି ଏତେ ସହଜରେ ଲିଭିବ ନାହିଁ। ପୂଜା କମିଟିର ସଦସ୍ୟ, କାରିଗର, କଳାକାର ଓ ଶ୍ରଦ୍ଧାଳୁଙ୍କ ମନରେ ଏବେଠାରୁ ଆରମ୍ଭ ହୋଇଗଲା ଆଗାମୀ ବର୍ଷର ପ୍ରସ୍ତୁତି ଓ ଅପେକ୍ଷା । ଏ ବର୍ଷ ପାଇଁ ମା’ ମେଲାଣି ନେଇଛନ୍ତି ସତ, କିନ୍ତୁ ଭକ୍ତଙ୍କ ହୃଦୟରେ ରହିଯାଇଛି ଗୋଟିଏ ଆଶା ଆସନ୍ତା ବର୍ଷ ପୁଣି ଆସିବେ ମା’।





