
ଓ୍ବାଶିଂଟନ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି ଦିନ, ୨୪ ଘଣ୍ଟା ଧରି ବିଭିନ୍ନ କାର୍ଯ୍ୟକ୍ରମ ଓ ସୂଚନା ପ୍ରଦାନ କରିବ। ଦର୍ଶକମାନେ ପ୍ରଶାସନ ସମ୍ବନ୍ଧୀୟ ସର୍ବଶେଷ ଖବର, ଗୁରୁତ୍ୱପୂର୍ଣ୍ଣ ଘୋଷଣା ଏବଂ ଅତୀତର ପ୍ରମୁଖ ଘଟଣାଗୁଡ଼ିକର ଉପସ୍ଥାପନା – ସବୁକିଛି ଗୋଟିଏ ସ୍ଥାନରେ ପାଇପାରିବେ।
ଟ୍ରମ୍ପ ଟିଭିର ଲକ୍ଷ୍ୟ ହେଉଛି ରାଷ୍ଟ୍ରପତି ଏବଂ ତାଙ୍କ ପ୍ରଶାସନ ବିଷୟରେ ସୂଚନା ସିଧାସଳଖ ଦର୍ଶକଙ୍କ ନିକଟରେ ପହଞ୍ଚାଇବା। ଏହି ଲାଇଭ ଷ୍ଟ୍ରିମିଂରେ ପ୍ରଶାସନର ନୂତନ ଘୋଷଣା, ଗୁରୁତ୍ୱପୂର୍ଣ୍ଣ ଘଟଣା ଏବଂ ଅନ୍ୟାନ୍ୟ ଉଲ୍ଲେଖନୀୟ ତଥ୍ୟ ପ୍ରଦାନ କରାଯିବ।
ଇତିମଧ୍ୟରେ ହ୍ବାଇଟ୍ ହାଉସରେ ମଙ୍ଗଳବାର ନୂଆ ହେଲିପ୍ୟାଡ୍ ଉଦ୍ଘାଟନ ହୋଇଥିଲା। ଏହି କାର୍ଯ୍ୟକ୍ରମର ଭିଡିଓ ମଧ୍ୟ ହ୍ଵାଇଟ୍ ହାଉସ୍ ନିଜେ ‘ଟ୍ରମ୍ପ୍ ଟିଭି’ରେ ଜାରି କରିଛି। ଏଭଳି କାର୍ଯ୍ୟକ୍ରମକୁ ସାଧାରଣତଃ ଟିଭି ନେଟୱର୍କଗୁଡ଼ିକ ନିଜ ଚ୍ୟାନେଲ୍ରେ ଦେଖାଇଥାନ୍ତି। କିନ୍ତୁ ଏଥର ମିଳିତ ପ୍ରସାରଣ ରୋକି ଦିଆଯାଇଛି। ସଦ୍ୟ କାର୍ଯ୍ୟକ୍ରମରେ ଟିଭି ନେଟଓ୍ୱର୍କଗୁଡ଼ିକର କ୍ୟାମେରା କିମ୍ବା ମାଇକ୍ରୋଫୋନ ନଥିଲା। ଫଳରେ ଟ୍ରମ୍ପଙ୍କ ସ୍ବର ସ୍ପଷ୍ଟ ଶୁଣାଯାଇ ନ ଥିଲା। ଅନ୍ୟ ଶବ୍ଦଗୁଡ଼ିକ ଯୋଗୁ ବି ଅସୁବିଧା ହୋଇଥିଲା।
ହ୍ବାଇଟ୍ ହାଉସ୍ ଅନୁସାରେ ୱେବସାଇଟ, ୟୁଟ୍ୟୁବ୍, ମୋବାଇଲ ଆପ୍ଲିକେସନ ଏବଂ ସ୍ମାର୍ଟ ଟିଭିରେ ‘ଟ୍ରମ୍ପ୍ ଟିଭି’ ଦେଖାଯାଇ ପାରିବ। ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟରରେ ୱେବସାଇଟ ଜରିଆରେ ଏହାକୁ ଦେଖିହେବ। ହ୍ଵାଇଟ୍ ହାଉସର ସରକାରୀ ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ‘ହ୍ଵାଇଟ୍ ହାଉସ୍’ ଆପ୍ ଡାଉନ୍ଲୋଡ୍ କରି ବି ଏହାକୁ ଦେଖାଯାଇ ପାରିବ ।





