
ନୂଆଦିଲ୍ଲୀ : ଭାରତ-ଚୀନ୍ ସମ୍ପର୍କରେ ଆସିପାରେ ନୂଆ ମୋଡ଼। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହେବ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବୈଠକ। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଉଭୟ ନେତା ଭେଟି ଦ୍ୱିପାକ୍ଷିକ ସମ୍ପର୍କ ସମେତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗରେ କରିବେ ଆଲୋଚନା।
ଚାଇନା ଗ୍ରହଣ କରିଥିବା ଏହି ଆଭିମୁଖ୍ୟ ମଧ୍ୟରେ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପ୍ରାୟ ୭ ବର୍ଷ ପରେ ଶନିବାର ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି। ଗତ ସାତ ବର୍ଷ ମଧ୍ୟରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଏହାପୂର୍ବରୁ ୨୦୧୯ରେ ଚେନ୍ନାଇର ମାମଲ୍ଲାପୁରମ୍ରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଥିଲେ। ୨୦୨୦ ପୂର୍ବ ଲଦାଖ ସୀମା ବିବାଦ ପରଠାରୁ ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ତିକ୍ତତାକୁ ସୁଧାରିବା ପାଇଁ ଏହି ପ୍ରସ୍ତାବିତ ମୋଦି-ଜିନ୍ପିଙ୍ଗ ସାକ୍ଷାତକାରକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ବେଜିଂରେ ଖବରଦାତାମାନଙ୍କ ସହ ଆଲୋଚନା ବେଳେ ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଙ୍ଗ କହିଛନ୍ତି ଯେ, ଦୁଇ ପ୍ରମୁଖ ନେତାଙ୍କ ସୁଚିନ୍ତିତ ମାର୍ଗଦର୍ଶନରେ ଚାଇନା ଭାରତ ସହିତ ମିଳିମିଶି କାମ କରିବାକୁ ପ୍ରସ୍ତୁତ। ସେ ଜୋର୍ ଦେଇ କହିଛନ୍ତି ଯେ ଭାରତ ଓ ଚାଇନା ଭଲ ପଡ଼ୋଶୀ ଏବଂ ଏକାଠି ଆଗକୁ ବଢ଼ୁଥିବା ମଜବୁତ ସହଯୋଗୀ ଭାବେ କାର୍ଯ୍ୟ କରିବା ଉଚିତ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ବିଶ୍ୱସ୍ତରୀୟ ଅସ୍ଥିରତା (ଯେପରିକି ୟୁକ୍ରେନ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟ ଉତ୍ତେଜନା) ମଧ୍ୟରେ ବ୍ରିକ୍ସ ଗୋଷ୍ଠୀ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକ ପାଇଁ ଏକତାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ତେଣୁ ଆଲୋଚନା ଓ ସହଯୋଗ ମାଧ୍ୟମରେ ଦୁଇ ଦେଶ ସମସ୍ତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ବାହାର କରିପାରିବେ।





