
ବିହାର : ଲଗାଣ ବର୍ଷା ଯୋଗୁଁ ବିହାରରେ ବନ୍ୟା ସ୍ଥିତି ଗମ୍ଭୀର। ବନ୍ୟାଜଳରେ ଚାଷଜମି, ଗାଁ, ସହରାଞ୍ଚଳର ଜନବସତି, ରାସ୍ତା, କଲେଜ ଓ ଘର ଜଳମଗ୍ନ ହୋଇପଡ଼ିଛି। ଯାହା ଫଳରେ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଗଙ୍ଗା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ପାଟନାର ନୌବତପୁରରେ ହଜାର ହଜାର ଏକର ଧାନ ଫସଲ ବୁଡ଼ି ଯାଇଛି। ବକ୍ସରରେ ଗଙ୍ଗା ବିପଦ ସଙ୍କେତ ଉପରେ ଅଛି, ଯଦିଓ ଜଳସ୍ତରବର୍ତ୍ତମାନ ସ୍ଥିର ଅଛି। ବିହାର ଓ ଝାଡ଼ଖଣ୍ଡରେ ଗତ ୫ ଦିନ ମଧ୍ୟରେ ୬୯.୧ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ବାଭାବିକଠାରୁ ୫୫ ପ୍ରତିଶତ ଅଧିକ।
ପାଟନାରେ ଗଙ୍ଗା ନଦୀର ଜଳସ୍ତର ଉଚ୍ଚ ବନ୍ୟା ସ୍ତର ଅତିକ୍ରମ କରିଛି। ଏହି ପରିସ୍ଥିତି ନିମ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ବହୁତ ସମସ୍ୟା ସୃଷ୍ଟି କରିଛି। ଖାସ୍ କରି ପାଟନା, ଭୋଜପୁର, ଶରଣ, ବୈଶାଳୀ, ଭାଗଲପୁର, ବେଗୁସରାଇ, ବକ୍ସର, ସମସ୍ତିପୁର, ମୁଙ୍ଗେର, କଟିହାର, ଲକ୍ଷ୍ମୀସରାଇ ଏବଂ ଅରଓ୍ବାଲ ଜିଲ୍ଲା ବନ୍ୟା ଯୋଗୁ ବିଶେଷ ପ୍ରଭାବିତ ହୋଇଛି।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଚୌକ ଏବଂ ଗାନ୍ଧୀ ଘାଟ ଭଳି ପ୍ରମୁଖ ସ୍ଥାନଗୁଡ଼ିକ ବନ୍ୟାରେ ବୁଡ଼ି ରହିଛି, ଯାହା ଫଳରେ ଲୋକମାନେ ଘରୁ ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଅନେକ ପଦକ୍ଷେପ ନେଇଛି।ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ ବିଭିନ୍ନ ଜିଲାରେ ମୋଟ ୧୯୦ଟି ଗୋଷ୍ଠୀ ରୋଷଶାଳା ଚାଲିଛି। ଜଳାର୍ଣ୍ଣବ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ୧,୪୨୯ଟି ଡଙ୍ଗା ନିୟୋଜିତ ହୋଇଛି। ଏଥିସହିତ ଏସ୍ଡିଆର୍ଏଫ୍ ର ୨୭ ଟିମ୍, ଏନ୍ଡିଆର୍ଏଫ୍ ର ୧୦ ଟିମ୍ ନିୟୋଜିତ ଅଛନ୍ତି। ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଇବା ପାଇଁ ରିଲିଫ୍ ଶିବିର ସ୍ଥାପନ କରାଯାଉଛି।





